(କବିଚନ୍ଦ୍ର କାଳୀଚରଣ— ରାଗ ଦେଶ, ତାଳ ତ୍ରିପଟା)
ପ୍ରାଣସଜନୀ କାଳ ହେଲା ତ ମଧୁ ରଜନୀ । ଘୋଷା ।
ଦେଖ ଗଗନେ ଶଶୀ ଆସିଲା ପରକାଶି
ତନୁରେ ମଲ୍ଲୀ ହସି ମହକ ଦେଲା ଘଷି
ସହି ବିରହ ଦାଉ ସହୀ କାହିଁ ତ ଆଉ
ନାହିଁ ମହୀରେ କେହି କାମିନୀ । ୧ ।
ଗୁନ୍ଥା ବଉଳ ମାଳା ଆସି ତ ବାସି ହେଲା
ଆସିବେ କେହି କଳା କଣ୍ଟ ତ ବଳିଗଲା
କେ ବା ନାଗରୀ କାହିଁ ରଖିଲା ରାଣ ଦେଇ
ମୁଁ ସିନା ଗୋପେ ହତଭାଗିନୀ । ୨ ।
ବେଶ ବାସ ଭୂଷଣ ହେଲାଟି ଅକାରଣ
କରିଲେ ପରମାଣ ତନୁ ଛୁଇଁ ମୋହନ
ସରାଗ କରି କେତେ ଭଣିଲେ ଚାଟୁ ସତେ
କୁଞ୍ଜେ ଆସିଲି କୁଳ ନ ମାନି । ୩ ।
ଶଶୀ ତ ଲୁଚି ନାହିଁ ଶୁଣ ଲୋ ଜେମାଦେଈ
ତୋ ବିନେ ଆନ କେହି ମୋହନ ମାନେ ନାହିଁ
ବଳିଗଲେ ଏ ନିଶି କହଇ କବିଶଶୀ
ହେବୁ ସିନା ତୁ ଅଭିମାନିନୀ । ୪ ।