(କବିଚନ୍ଦ୍ର କାଳୀଚରଣ— ରାଗ ଦେଶାକ୍ଷ, ତାଳ ଏକତାଳି)
ସରିଲି ମୁଁ କି କଲି
ତୋତେ ଯା ହୁଡ଼ିଲି ଚାହିଁଲି
ସେ ଶ୍ୟାମ ଛବି ନୟନ ମେଲି । ଘୋଷା ।
ମୁଁ ଥିଲି ଯମୁନା ନୀରେ
ତୀରେ ଆସି ସେ ଅଧୀରେ
ମୁରଲୀ ବାଇଲା ଧୀରେ ସଖିରେ
(ପଡ଼ି)
କାମ ଗଞ୍ଜନ ଠାମ ଅଞ୍ଜନ
ନିନ୍ଦି ସେ ରୂପ ରାଜିରେ
ସାଜିରେ ଆଜିରେ ରାଜିରେ
ସଜନୀ ମୁଁ ବରିଲି । ୧ ।
ବସନ ସଜାଡ଼ି ନାହିଁ
ଚାହିଁ ଚମକିଲି ମୁହିଁ
ତା କଳା ନୟନ ଗଲା ଲାଖିରେ
(ପଡ଼ି)
ଚାରୁ ଚଞ୍ଚଳ ନେତ୍ର ଅଞ୍ଚଳ
ଚନ୍ଦ୍ରିକା ଚୂଳରେ ମିତ
ମୋ ଚିତ୍ତ ମୋହିତ ନେଲା ତ
କି ଲାଜରେ ସଢ଼ିଲି । ୨ ।