Pasori Heba Ki Bandhuku

ପାଶୋରି ହେବ କି ବନ୍ଧୁକୁ
(Kabichandra Kali Charan— Raga Dhanasri, Tala Athatali)
(କବିଚନ୍ଦ୍ର କାଳୀଚରଣ— ରାଗ ଧନାଶ୍ରୀ, ତାଳ ଆଠତାଳି)

ପାଶୋରି ହେବ କି ବନ୍ଧୁକୁ
ଶ୍ୟାମକୁ ତା ତିନିଭଙ୍ଗୀ ଠାମକୁ
ଦଳିତ ଅଞ୍ଜନ କଳା ଛବି ଜିଣେ କାମକୁ
ନବୀନ ନୀରଦ ନିନ୍ଦେ ମୁରଲୀଧର ତାର
ଢଳା ଚୂଳ ବାମକୁ । ଘୋଷା ।

କଦମ୍ବ ମୂଳିଆ କାହ୍ନୁ ହଟିଆ ନାଗର
ସତୀ ମତି ଧୃତିହରା ରାସ ରସସାଗର
(ପଡ଼ି)
ପୀତପଟ ଧିଟ ଶଠ ନଟକୂଟିଆ
କୁଞ୍ଜବନେ ରାଇ ରାଇ ସ୍ୱନେ
ମୁରଲୀ ବଜାଏ ଘର ପାଶୋରାଏ
ଘାରି ମରମକୁ । ୧ ।

କବିଚନ୍ଦ୍ର କହେ ସଖି ପଚାର ତୁ ଅନ୍ତରେ
ମରୁ କି ନା ନିଶିଦିନ ଝୁରି ପ୍ରୀତି ମନ୍ତରେ
(ପଡ଼ି)
ମଧୁ ଆସେ ପାଶେ ଆସେ ମଧୁରସିଆ
ଚନ୍ଦ୍ରମୁଖୀ ଏତେ ଘେନ ମନେ
ତୋ ଘେନି ମୋହନା ନ ମାନେ କି ମନା
ରଟେ ତୋ ନାମକୁ । ୨ ।