(କବିଚନ୍ଦ୍ର କାଳୀଚରଣ— ରାଗ ଚିନ୍ତାଭୈରବ, ତାଳ ସରିମାନ)
ଛି ଛି ମୁଁ କି ହୁଡ଼ିଲି
ମାନସେ ମାନସ ମଣି ପଙ୍କ ସରେ ବୁଡ଼ିଲି । ଘୋଷା ।
ବରଜିଲା କାଚକଣି ମଣି ମରକତ ମଣି
ଯତନେ ସାଉଁଟି ଆଣି ଗଳାରେ ଯା ଭିଡ଼ିଲି । ୧ ।
ଗୋକ୍ଷୀରେ ଶାକର ଗୋଳି ସରାଗେ ବଜାଇ ତାଳି
ମଧୁର ହୋଇବ ଭାଳି ଲିମ୍ବ ମୂଳେ ଇଡ଼ିଲି । ୨ ।
ବାରପୁରେ ଘର ଯାର ଛଳରେ ଭରମି ତାର
କରି କେତେ ଆପଣାର ରସେ ଯାହା ଜଡ଼ିଲି । ୩ ।
ଅବିବେକୀ କବିଶଶୀ ଶିରେ କର ଥାପି ବସି
ଏତେ କାଳେ ହୁଏ ଘୋଷି ମୋହ ମନୁ ଛାଡ଼ିଲି । ୪ ।