(କବିଚନ୍ଦ୍ର କାଳୀଚରଣ— ରାଗ ରାମକେରୀ, ତାଳ ଏକତାଳି)
ସଜନୀ ନଇଲେ ତ ବରଜରାଜ
ବିଫଳ ଏ ଯଉବନ କି ଫଳ ସରାଗ ସଜ । ଘୋଷା ।
କେତେ ଅନୁରାଗେ ସତେ ବଚନ ଗଲି ପରତେ
ବରଜି ବରଜେ କୁଳ ଲାଜ
ନ ମାନି ନିଝୁମ ନିଶା ଲଭିଲି ଅନା କି ଦଶା
ଶିରେ ଯାହା ନ ପଡ଼ିଲା ବାଜ । ୧ ।
ନ ହେଲା ନ ଥିଲେ ନାହିଁ କାହିଁକି ରେ ଆଶା ଦେଇ
ନିପଟ କପଟ କଲେ ଆଜ
ତୋଳି କାନନ ନିଆଳୀ ଯତନେ ସଜାଡ଼ିଥିଲି
ବାସି ହେଲା ଆସି ଫୁଲ ଶେଯ । ୨ ।
ଆଉ ସତେ ନିଧୁବନେ ନ ଆସିବି କେବେ ଦିନେ
କଳିବି ସଜନୀ କଳା ଓଜ
ଅନା ଛପି ଛପି ଆସେ ଜହ୍ନ ତ ନୀଳ ଆକାଶେ
ଆଉ କି ଆଶା ଲୋ କୁଞ୍ଜ ତେଜ । ୩ ।
କବିଚନ୍ଦ୍ର ଯୋଡ଼ି କର କହେ ଧନୀ ଘେନା କର
ଆଜରୁ ଗରବ ମନୁ ତେଜ
ବନ୍ଧା ତୋର ଶ୍ୟାମ ଭାଳି ନ ଯାଅ ଗୋ ମନୁ ଭୁଲି
ଭାବ ବିନୋଦିଆ ରସରାଜ । ୪ ।