(ବନମାଳୀ— ରାଗ କଳିଙ୍ଗଗୌଡ଼ା, ତାଳ କୁଡ଼ୁକ)
ନନ୍ଦ କିଶୋର ପରି ଗୋ କିଶୋରୀ
ଖୋଜିଲେ ନ ଥିବ ଚଉଦପୁରୀ । ଘୋଷା ।
କେତେ କାଳ ବସି ବିହି ଯତନେ
ସଜାଡ଼ିଲା ତନୁ ନୀଳ ରତନେ
ଅଳପ ଅନାଇଦେଲେ ଅପାଙ୍ଗେ
ଅଙ୍ଗଯାକ ପୂରି ରହେ ଅନଙ୍ଗେ ଗୋ । ୧ ।
ନୟନ ମୁନ ତା ମଦନ ଛୁରୀ
ଦୁଃଖ ସୁଖ ତହିଁ ରହିଛି ପୂରି
ଥରେ ଚାହିଁଦେଲେ ଅଳପ କରି
ଜୀବ ଥିବାଯାକ ନୁହେଁ ପାଶୋରି ଗୋ । ୨ ।
ଫୁଲକାଣ୍ଡ ଚାରୁ କୋଦଣ୍ଡ ପରି
ଭ୍ରୂଲତା ନେତ୍ର ତା ନଚାଏ ଧରି
ଧଇର୍ଯ୍ୟ ନ ରହେ ଚାହିଁଲେ ଦୂରୁ
ବରତି ଯିବ କେ ଶ୍ୟାମ ଆଗରୁ ଗୋ । ୩ ।
ଗୋପାଳୀ କୁଳଙ୍କ କୁଳ ବଡ଼ାଇ
ନାଗରରାଜା ଦେଲେଣି ଛଡ଼ାଇ
ବିଷ ପରି ହେଲା ଲୋଭ ମୁହାଁସ
ସନ୍ତତ ନୟନେ କଲାଣି ବାସ ଗୋ । ୪ ।
ବନମାଳୀ ବୋଲେ ମୋହନ ଦେହ
ମୋହିନୀ ମାନଙ୍କୁ କରଇ ମୋହ
କିଞ୍ଚିତ ବନିତା ହେବାର ବଶ
ଅନାଇଁ ପଶୁଏ ସ୍ଥଳିତ ଦୃଶ୍ୟ ଗୋ । ୫ ।