(ଗୋବିନ୍ଦ— ରାଗ ଆରଭୀ, ତାଳ ଏକତାଳି)
ସେ ନାଗର କା ପାଶେ ରହିଲେ ଗୋ । ଘୋଷା ।
ଆସିବି ବୋଲି ରଜନୀ ଭାଷିଲେ ଗୋ ସଜନୀ
କି ଦୋଷ ମୋର ଘେନି ରସେ କେଉଁ କାମିନୀ
ରସେ ରସି ମନକୁ ମୋହିଲେ ଗୋ । ୧ ।
ସଜାଡ଼ି ମୁଁ ଥିଲି ପାନ ଯୋଗାଡ଼ି ଚୂଆ ଚନ୍ଦନ
ବାସ କୁସୁମ ଭୂଷଣ ବାସି କରାଇବା ମନ
ଥିଲା ଯେବେ କାହିଁକି କହିଲେ ଗୋ । ୨ ।
ଦେହକୁ ମୋ ଛୁଇଁ ହରି ନିୟମ ଥିଲେ ତ କରି
ତା ଏବେ ଦେଇ ପାଶୋରି ଯାହା କଲେ ଏତେ ସରି
ଆହା ବନ୍ଧୁ କି ଦଣ୍ଡ ବିହିଲେ ଗୋ । ୩ ।
ଧରିବି କିପରି ପ୍ରାଣ ହେବ କେ ମୋ ପରିତ୍ରାଣ
ସେ ଶ୍ୟାମ କପଟପଣ କରି ଯାହା ପଞ୍ଚବାଣ
ଅନଳରେ ମୋ ତନୁ ଦହିଲେ ଗୋ । ୪ ।
ରାଧା ଖେଦ ଦୂତୀ ଜାଣି କହନ୍ତି ସେ ବେନୁପାଣି
ଆସିବେ ନିଶ୍ଚୟ ପୁଣି ଏ ରସେ ଗୋବିନ୍ଦ ଭଣି
ବିନୟରେ ଦୁଃଖ ଶୁଣାଇଲେ ଗୋ । ୫ ।