Ahe Rasika Sundara Bara

ଆହେ ରସିକ ସୁନ୍ଦରବର
(Dinakrusna— Raga Sindhuda)
(ଦୀନକୃଷ୍ଣ— ରାଗ ସିନ୍ଧୁଡ଼ା)

ଆହେ ରସିକ ସୁନ୍ଦରବର ହେ
ଆହେ ନାଗର । ଘୋଷା ।

ଅତି ହିଁ ନିଷ୍ଠୁର ହୃଦୟ ତୁମ୍ଭର
ପ୍ରିୟ ସଖୀଠାରେ ମୋର ହେ । ୧ ।

ତୁମ୍ଭ ବିନୁ ତନୁ ତନୁ କଲା ଅତି
ଯେହ୍ନେ ନବ ଶୀତକର ହେ । ୨ ।

ମଳୟ ପବନ ଅନଳ ସମାନ
ଦହଇ ଅଙ୍ଗ ତାହାର ହେ । ୩ ।

ତୁମ୍ଭଙ୍କୁ ଭଜିଲା ଫଳ ତ ଭଜିଲା
ମଦନ ଶର ପ୍ରହାର ହେ । ୪ ।

ଦୀନକୃଷ୍ଣ ବୋଲେ ଏବେହେଁ ନଇଲେ
ନାହିଁ ନାହିଁ ପ୍ରତିକାର ହେ । ୫ ।