Podu E Kadamba Jalu Brundabana

ପୋଡ଼ୁ ଏ କଦମ୍ବ ଜଳୁ ବୃନ୍ଦାବନ
(Dinakrusna— Raga Kedara Kamodi, Tala Tripata)
(ଦୀନକୃଷ୍ଣ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)

ପୋଡ଼ୁ ଏ କଦମ୍ବ ଜଳୁ ବୃନ୍ଦାବନ
ମରୁ ଏ ବସନ୍ତ କୋଇଲି ଗୋ
କୃଷ୍ଣ ସଙ୍ଗେ ଯାହା ନ ଯାଇ ରହିଛି
ଆମ୍ଭ ପ୍ରାଣ ନେବ ବୋଲି ଗୋ । ଘୋଷା ।

ଆମ୍ଭେ ସର୍ବ ସଖୀ ଜଳ ବାହି ଯିବା
ଶୁଖୁ ଏ ଯମୁନା ନଈ ଗୋ
କଦମ୍ବ କାଟି ଟିକି ଟିକି କରିବା
ତହିଁ ଲଗାଇବା ଯୁଇ ଗୋ । ୧ ।

ଆମ୍ଭେ ସର୍ବ ସଖୀ ଏକଇ ବୟସୀ
ସବୁଙ୍କର ନୂଆ କୁମ୍ଭ ଗୋ
ଛାତିକ ପାଣିରେ କୁମ୍ଭ ନ ବୁଡ଼ଇ
ଏ ତ ବଡ଼ ଅସମ୍ଭବ ଗୋ । ୨ ।

ଆସିଲା ବସନ୍ତ ପଲ୍ଲବିଲେ ଚୂତ
ଫୁଟିଲେ ମାଧବୀ ଲତା ଗୋ
କୁହୁ କୁହୁ କରି କୋଇଲି ରାବିଲା
ଉଚ୍ଚରେ ଭ୍ରମର ଯଥା ଗୋ । ୩ ।

ଆସୁ କଂସ ଦୁଷ୍ଟ ନାଶୁ ଗୋପ ରାଷ୍ଟ୍ର
ଭାଙ୍ଗୁ ତୋଟା ମଧୁବନ ଗୋ
ରାମକୃଷ୍ଣ ମୋର କୁଶଳେ ଆସନ୍ତୁ
କହେ ଦୀନକୃଷ୍ଣ ହୀନ ଗୋ । ୪ ।