(ଦୀନକୃଷ୍ଣ— ରାଗ ଲଳିତ ବସନ୍ତ, ତାଳ ତ୍ରିପଟା)
ପ୍ରାଣ ମିତଣୀ ଡାଳ କେତେବେଳେ କି ନ କରେ ପୁଣି । ଘୋଷା ।
ପହିଲି ପ୍ରୀତି ସମୟେ ଅହର୍ନିଶି ଆସିବାୟେ
ଏହି ପୁରେ ଦିଶୁଥାଇ ପାଦ ପଦ୍ମ ଚିହ୍ନମୟେ
କାହିଁ ଗଲା ସେ ସମୟେ ସପନ ଧନ ପରାୟେ
ଖଳ କୁସୁମ କାଣ୍ଡକୁ ଭୋଗ ହେଲା ଆମ୍ଭ କାୟେ । ୧ ।
ଏବେ ବସନ୍ତ ସମୟେ ନଇଲେ ମୋହନ ରାଏ
ନୀରସ ତରୁରେ ଆସି ସରସ ପଲ୍ଲବ ହୋଏ
ଦୟାଳୁ ହୋଇଣ କିମ୍ପା ଏଡ଼େ ନିଷ୍ଠୁର ହୃଦୟେ
ଭଲା କଲା କୁବୁଜାର ମୋହନ ମନ୍ତ୍ର ଉପାୟେ । ୨ ।
ଫୁଲରେ ଭ୍ରମର ରଙ୍ଗ ଫଳ ବୃକ୍ଷେ ପକ୍ଷୀ ସଙ୍ଗ
ଯଉବନ ଥିଲେ ପର ପୁରୁଷେ ପ୍ରୀତି ଅଭଙ୍ଗ
ବୋଲେ ଦୀନକୃଷ୍ଣ ଯେହ୍ନେ ସରିତ ପରି ତରଙ୍ଗ
ଆସଇ ଅତି ଉଚ୍ଚରେ ବଡ଼ ବେଗେ ହୋଏ ଭଙ୍ଗ । ୩ ।