(ଦୀନବନ୍ଧୁରାଜ— ରାଗ କେଦାର)
ସଖୀ ଏ ବସନ୍ତ କାଳ ଦହିଲା ରେ । ଘୋଷା ।
ଏ କାଳେ କାନ୍ତର ବିନୁ ନିରନ୍ତର
ଦହିବା ମନ୍ତର ପିକ କହିଲା ରେ । ୧ ।
ଅତ୍ୟନ୍ତ ପାତକୀ ବିରହୀ ଘାତକୀ
କାମ କି କେତକୀ କୁନ୍ତ ବହିଲା ରେ । ୨ ।
ଦେଖ ହେ ଗହନ ପବନ ବହନ
ପରାଣ ଦହନ ଘେନି ବହିଲା ରେ । ୩ ।
ଜୀଇବା ଭରମ ଗଲା ଏ ମରମ
ଘାତକୀ ଧରମ କେହି ସହିଲା ରେ । ୪ ।
କହେ ଦୀନବନ୍ଧୁ ରାଜ ବ୍ରଜବନ୍ଧୁ
ଆସିବା ନିର୍ବନ୍ଧୁ ଜୀବ ରହିଲା ରେ । ୫ ।