Madhu Rutu Sangare Bije

ମଧୁ ଋତୁ ସଙ୍ଗରେ ବିଜେ
(Dinabandhuraja— Raga Mohana Kedara)
(ଦୀନବନ୍ଧୁରାଜ— ରାଗ ମୋହନ କେଦାର)

ମଧୁ ଋତୁ ସଙ୍ଗରେ ବିଜେ
ରାଜ ରାଜ ଅନଙ୍ଗ
ମଲ୍ଲୀ କୋରକ ଶଙ୍ଖ ଧରି କରେ
ନାଦ ମାଳିକ ଭୃଙ୍ଗ । ଘୋଷା ।

ମନ୍ଦ ପବନ ଗୁରୁରେ ପ୍ରେରିତ
କୁସୁମ ଭୂଷଣ ଗଣେ ସୁଭୂଷିତ
ବଲ୍ଲୀ କାମିନୀ ନାଚେ ଅବିରତ
ହୋଇ ହରଷିତ ଅଙ୍ଗ । ୧ ।

ମତ୍ତ କୋକିଳ ଡିଣ୍ଡିମ
ପକ୍ଷୀକୁଳ ରବ ବାଦ୍ୟ ମନୋରମ
ନାଗକେଶର ପଲ୍ଲବ ଧ୍ୱଜ
ବୃନ୍ଦ ଶୋଭଇ ତୁଙ୍ଗ । ୨ ।

ଚାରୁ କେତକୀ କୁନ୍ତ ମଧୁକର
ପନ୍ତି ମଞ୍ଜୁଳ କାନ୍ତି ଅସିବର
କୁସୁମେ ମଣ୍ଡିତ ଅଶୋକ ତରୁକୁଳ
ଚାରୁ ଚିତ୍ତ ସତାଙ୍ଗ । ୩ ।

ମାଧବୀ ସୁନିଆଳି ସେବତୀ
କୁନ୍ଦ ଚମ୍ପକ ସୈନ୍ୟ ବିଳସତି
କି ଏ ତରୁଣ ତମାଳ ତରୁବର
ବାର ମତ୍ତ ମାତଙ୍ଗ । ୪ ।

କହଇ ଦୀନବନ୍ଧୁ ହରିଚନ୍ଦନ
ଧନ୍ୟ ଏହୁ ଋତୁରାଜ ଶୋଭନ
ରଚିଲେ ଯହିଁ ବ୍ରଜ କାମିନୀ
ଘେନି ହୋରି ତରଙ୍ଗ । ୫ ।