(ଦୁଃଖୀଶ୍ୟାମ— ରାଗ ଲଳିତ କାମୋଦୀ)
ଆଗୋ ପ୍ରିୟସହି
ମାର ମାରୁଛି ମରମେ ରହି ରହି । ଘୋଷା ।
ବିଶ୍ରବା ନନ୍ଦନ ଭ୍ରାତ ନେଇ
ସଦନୁ ବାହାର ହେଲି ମୁହିଁ
ବିନତା ନନ୍ଦନ ପତିଙ୍କି ଦେଖିଲି
ନୀପମୂଳେ ଛନ୍ତି ଉଭା ହୋଇ । ୧ ।
ଚାରି ସୁତ ଭ୍ରାତ ମୁଖ ଚାହିଁ
ମୂର୍ଚ୍ଛାଗତ ଗଲି ସଖୀ ତହିଁ
ରାବଣ ସାନୁଜ ପତି ପ୍ରାଣ ଗଲା
ଧୃତରାଷ୍ଟ୍ର ସୁତ ଖଣ୍ଡ ମହୀ । ୨ ।
ଦେଖି ପାଦ ମୋର ନ ଚଳଇ
କି ବୋଲି କହିବି ପୁରେ ଯାଇ
କାନ୍ତା ସୁତ ତାତ ଅତି ଦୁରୁଦଣ୍ଡ
ଦେଖିଲେ ମୋ ଦେହ ଥରୁଥାଇ । ୩ ।
ସଖୀ ମୁଁ କହୁଛି କର ଦେଇ
ବିରାଟ ନନ୍ଦନ ଦିଅ କହି
ଭଣେ ଦୁଃଖୀଶ୍ୟାମ ଦାସ ଏହୁ ରସେ
ନ ଭେଟିଲେ ଅନ୍ୟ ଗତି ନାହିଁ । ୪ ।