(ଦୁଃଖୀଶ୍ୟାମ)
ତୋଳ ତୋଳ ଏହି ଫୁଲ ଯତନେ ଗୁନ୍ଥିବା
ମାଳ କରି ଶ୍ରୀ କୃଷ୍ଣର ଗଳେ ଲମ୍ବାଇବା । ଘୋଷା ।
କୁନ୍ଦ କଞ୍ଚନ ମୋତେ ଗୋ ଦିଶେ କେଡ଼େ ଶୋଭା
ନାଗେଶ୍ୱର କନିଅର ଦେଖି ମନ ଲୋଭା । ୧ ।
ଦେଖ ମଧୁ କାଳେ କୁଞ୍ଜେ ମାଳତୀ ଫୁଟିବା
ଆର ସଖୀ ବୋଲେ ନେଇ ଶ୍ରୀକୃଷ୍ଣେ ଭେଟିବା । ୨ ।
ଯୁଇ ଫୁଲ ନେଇ ଦେବ ଯୁର କରେ ଯୁବା
ମାଧବୀରେ ମାଧବର ମନକୁ ତୋଷିବା । ୩ ।
ଚମ୍ପା ଚମତ୍କାର ଦେଖ କି ଉପମା ଦେବା
ଚଞ୍ଚଳେ ଅଞ୍ଚଳେ କରବୀର କେହି ଅବା । ୪ ।
ଦୁଃଖୀଶ୍ୟାମ ବୋଲେ ଆଉ ଗୋପକୁ ନ ଯିବା
ଏହି ସ୍ଥାନେ ରହି କୃଷ୍ଣ ପାଶରୁ ନ ଯିବା । ୫ ।