Ago Sakha Suna Krusna

ଆଗୋ ସଖା ଶୁଣ କୃଷ୍ଣ
(Narayana— Raga Soka Kamodi, Tala Ekatali)
(ନାରାୟଣ— ରାଗ ଶୋକ କାମୋଦୀ, ତାଳ ଏକତାଳି)

ଆଗୋ ସଖା ଶୁଣ
କୃଷ୍ଣ ରୂପର ମହା ଅଦ୍ଭୁତ ଗୁଣ । ଘୋଷା ।

ଯେଉଁ ଶୋଭା ଦେଖି ପଶୁ ପକ୍ଷୀ
ନ ଥାନ୍ତି ନେତ୍ରେ ପଲକ ରଖି
ହୋଇ ଅଶ୍ରୁମୁଖୀ ହୁଅନ୍ତି ସେ ଲେଖି
ଦେବା ପ୍ରତିମା ପରାୟେ ଲକ୍ଷି । ୧ ।

ଥାଉ କହିବାର ମନୋହର
ସୁରବର ପୁର ନାରୀବାର
ହେଲେହେଁ ସଦାର ଚାହିଁ ସେ ମନ୍ଦାର
ଚରଣ ଘୋଟେ କାମ ଅନ୍ଧାର । ୨ ।

ସାଧ୍ୱୀ ଶିରୋମଣି ରମା ପୁଣି
କେଉଁ ଭାବକୁ ସେ ମନେ ଘେନି
ଯେଉଁ ପଦ ବେନି କୁଚେ ଧରି ଆଣି
କରିଅଛନ୍ତି ପଦକ ମଣି । ୩ ।

ଭାବିବାର କେଉଁ ପ୍ରୟୋଜନ
ଯେ ପାଷାଣ ଶ୍ରେଣୀ ହୃଦଶୂନ୍ୟ
ଲାଗିଲେ ସେ ପାଦ ଆରମ୍ଭନ୍ତି ବାଦ
ହ୍ରଦ ପଙ୍କିଳ ସଙ୍ଗରେ ପୁଣ । ୪ ।

ବାଳ କାଳୁ ମିତ କାହା ଚିତ୍ତ
ନ ଦ୍ରବୁଛି କହ ତା ଦେଖି ତ
କହେ ନାରାୟଣ ବନ୍ଧୁର ଶରଣ
ବାଣ ପ୍ରସାରଣ ବେନି ନେତ୍ର । ୫ ।