(ଫକୀର ଭଞ୍ଜ— ରାଗ କେଦାରଗୌଡ଼ା, ତାଳ ତ୍ରିପଟା)
ଏ ଋତୁରାଜ ସଖି ଆହା
ତେଜିବି ବିଚ୍ଛେଦ କେହି
ମୋ କାନ୍ତ ତେଜିଲେ ଯାହା । ଘୋଷା ।
ଭ୍ରମର ଝଙ୍କାର ଘନ କୋକିଳ କଳ ବଚନ
କରେ ଉଚ୍ଛନ୍ନ
ପଲ୍ଲବିଲେ ତରୁଲତା ଚୂତ ହେଲେ ମୁକୁଳିତା
ସତତ ଦହୁଛି ଚିନ୍ତା ନ ସରେ ଦିନ
ନାଗେଶ୍ୱରର କଳି କି ଏ କାମର ଗୁଳି
ହୃଦେ ବାଜିନି କିଳିଯାଉଛି ସଖୀ ଚାହାଁ । ୧ ।
ଉଡ଼ି ପରାଗେ ଗଗନ ଦିଶଇ ଅତି ରଞ୍ଜନ
ପ୍ରଫୁଲ୍ଲ ପଲାଶବନ ଦେଖିବି କେହି
କହରେ ପରାଣ ସହି ଜୀବନ ରଖିବି କେହି
ଏ ଦଶା ବିହିଲା ବିହି ମରିବ ନାହିଁ
ନବ ମାଳିକା ତତି ଫୁଟି ମହୀ ଲୋଟନ୍ତି
ହୋଏ କୁନ୍ତ କେତକୀ କହ କରିବି ଆହା । ୨ ।
ଏତେ ଯାତନା ସହିବି ଏଥିରୁ ଆଉ ଜୀଇବି
ବଲ୍ଲଭକୁ କି ପାଇବି ଦୁଃଖ କହିବି
ଏ ତାପକୁ ଉପେକ୍ଷିବି ହରଷେ ରସେ ରସିବି
ଆଲିଙ୍ଗନରେ ମିଶିବି ମତି ତୋଷିବି
ଏ କାଳ ସୁଖେ ନେବି ଲବେ ଭିନ୍ନ ନୋହିବି
ଅଯଶ ମନେ ଭାବି ଭାଜିବ ରତିନାହା । ୩ ।
ଏବେ ହୋଇଛି ନିରକ୍ଷ ଧନ ନ ଥିବାରୁ ପାଖ
ବାଧିଣ ଶୀତମୟୂଖ କରେ ଅବଶ
ନ ଘେନିଲେ ତ ବିନୟ କି କଲେ ସଜନୀ ପ୍ରିୟ
ହୋଇଲେ ଅତି ନିର୍ଦ୍ଦୟ କରିବି କିସ
ଫକୀର ଭଞ୍ଜ ଭଣି ସଖୀଏ ବାଣୀ ଶୁଣି
କହେ ଶୁଣ ସୁବେଣୀ ଆସିବେ ନିଶ୍ଚେ ନାହା । ୪ ।