(ଫକୀର ଭଞ୍ଜ— ରାଗ କାନଡ଼ଗୌଡ଼ା, ତାଳ ତ୍ରିପଟା)
ଆଗୋ ସଖି ଏ ଦେହ କି ନ ସହଇ ଗୋ
ଏକେ ଏ ଘନ କାଳ ଦୁଜେ ଘନ କରାଳ
ହୋଇ ବରଷି ଜଳ ଜୀବ ଅରେ ଆକୁଳ । ଘୋଷା ।
ଯାହା ହୋଇଲା ଆସି ଦୁର୍ଦ୍ଦିନ
ସଖୀ ବଞ୍ଚିବି କେହି ଏ ଦିନ
ଘନ ଘୋର ଘଡ଼ଘଡ଼ି କରି ଘଡ଼ିକି ଘଡ଼ି
ଧୃତି ହେଉଛି ତଡ଼ି ସନ୍ତାପେ ଗଲି ସଢ଼ି । ୧ ।
ଝାଙ୍କି ଝାଙ୍କି ବହେ ଝଞ୍ଜାନିଳ
ଭେକ ଡାହୁକ ଡାକ ପ୍ରବଳ
କେକୀ ଟେକ ନିନାଦ ଶୁଣି କାତର ହୃଦ
ଲେଶେ ନ ରହେ ମୁଦ ହେଉଛି ପରମାଦ । ୨ ।
ନୀପ ସୁମନ ଶୋଭା ପାନ୍ତି
ହେଲେ ପୁଷ୍ପିତ ଜାତି ବ୍ରତତୀ
ଦୁର୍ଦ୍ଦଶା ମୋର ଉଦୟ କାନ୍ତ ହେଲେ ନିର୍ଦ୍ଦୟ
ନିରେଖି ଏ ସମୟ ତନୁ ନୋହୁଛି ଥୟ । ୪ ।
କ୍ଷଣେ ନ ଛାଡ଼ନ୍ତି ମୋର ପାଖ
ଲବେ ନ ଦେଖନ୍ତି ମ୍ଳାନ ମୁଖ
ଏବେ ହେଲି ନିରକ୍ଷ ମୋ ତନୁ କରି ଲାଖ
କୋପେ ସ୍ମର ବିଶିଖ ବିନ୍ଧେ ସଜନୀ ଦେଖ । ୫ ।
ଭଣି ଫକୀର ଭଞ୍ଜ ରସ
ଆଳି କଲାକ ଆଶ୍ୱାସ
ଆସିବେ ତୋ ଜୀବେଶ ଚାହିଁ ଲଭିବୁ ତୋଷ
ନୁହଁ ଆଉ ବିରସ ନୁହଁ ଆଉ ବିରସ । ୬ ।