(ଫକୀର ଭଞ୍ଜ— ରାଗ ସିନ୍ଧୁଡ଼ା, ତାଳ ଏକତାଳି)
ଆଗୋ ସଜନୀ କୃଷ୍ଣର କି ସ୍ନେହ ମୋରେ
ଯେ ଯେତେ କହିଲେ ଦିନେ ଆନ ସଙ୍ଗେ
ବାଞ୍ଛନ୍ତି ନାହିଁ ମନରେ । ଘୋଷା ।
ମୋହନ ମନ୍ତର କିଛି ନ ଜାଣଇ
ବସିଥାନ୍ତି ଚାହିଁ ମୁଖ
ଅଙ୍ଗଛାଇ ପରି ସଙ୍ଗ ନ ଛାଡ଼ନ୍ତି
ପ୍ରିୟତମ ମୋର ପାଖ ରେ । ୧ ।
କିଛିହିଁ ଗୁଣ ତ ମୋହ ତହିଁ ନାହିଁ
ଘେନିଛନ୍ତି ଏଡ଼େ କରି
ଖୋଜିଲେ ତିନି ଜଗତେ ଲକ୍ଷିବାକୁ
କେହି ଥିବକି ଏପରି ରେ । ୨ ।
ଗୋପ ନଗରେ କେତେ ନାରୀ ନାହାନ୍ତି
ମୁଁ ତାଙ୍କୁ କେଡ଼େ ସୁନ୍ଦର
ଏମନ୍ତ ହେଲେହେଁ ଅନ୍ତରଗତରୁ
ନ କରନ୍ତି ସେ ଅନ୍ତର ରେ । ୩ ।
ଅଙ୍ଗଦେଶ ଯେବେ ନ ଥାଇ ମଣ୍ଡନ
କରନ୍ତି ଆପେ ମଣ୍ଡନ
କର ଧରି ଚୁମ୍ବ ଦେଇ ବୋଲୁଥାନ୍ତି
ତୁ ମୋର ଜୀବଜୀବନ ରେ । ୪ ।
ଫକୀର ଭଞ୍ଜ ଏ ଲକ୍ଷଣ ରଚନା
କଲେ ବିଚାରିଣ ଚିତ୍ତେ
ସ୍ୱାଧୀନଭର୍ତ୍ତୃକା ନାୟିକା କହଇ
ଏ ରୂପେ ସଖି ପୁରତେ । ୫ ।