Dhanya Sehi Bara Tanu

ଧନ୍ୟ ସେହି ବରତନୁ
(Mardaraja— Raga Kousika)
(ମର୍ଦ୍ଦରାଜ— ରାଗ କୌଶିକ)

ଧନ୍ୟ ସେହି ବରତନୁ ମୋହନା
ତାର ରୂପ ଲାଗି ଆର୍ତ୍ତ ନୟନ ମୋହର ନା । ଘୋଷା ।

ଶ୍ୟାମ ବନ୍ଧୁ ନା ତାର ବଦନ ନିନ୍ଦଇ
ପୂର୍ଣ୍ଣ ଇନ୍ଦୁ ନା
ଚାରୁ କପୋଳରେ ମଳୟଜ ବିନ୍ଦୁ ନା
ଚାରୁ ଚାହାଣୀରେ ନାଶେ କୁଳବଧୁ ନା
ରୂପ ଲାବଣ୍ୟ ତରଙ୍ଗ ରସସିନ୍ଧୁ ନା । ୧ ।

କୁଟିଳ କୁନ୍ତଳ ଶିରେ ଶିଖୀଦଳ ଗୋ
ବେଢ଼ି ନବ ବକୁଳର ମାଳ ଗୋ
ନାସାରେ ମୋତି ସଜଳ କର୍ଣ୍ଣରେ କୁଣ୍ଡଳ ଗୋ
ଅଧର ସୁରଙ୍ଗ ବିମ୍ବଫଳ ନା । ୨ ।

କଙ୍କଣ ଅଙ୍ଗଦ ଶୋହେ ବାହୁ ମୃଣାଳରେ ଗୋ
ଗଳେ ନବ କୁସୁମରେ ମାଳ
ନବ ଜଳଧିରେ କିବା କ୍ଷଣପ୍ରଭା ଆଭା ଗୋ
ତନୁରେ ଶୋହେ ପୀତ ଦୁକୂଳ ନା । ୩ ।

ଚରଣ କଞ୍ଜରେ ମଣିମଞ୍ଜୀର ବାଜେଣି ଗୋ
ମନମଥ ଜଗିଛି କି ଜାଣି
ଭଣେ ମର୍ଦ୍ଦରାଜ ନିଶ୍ଚେ ପଞ୍ଚଶର ତୋଳି ଗୋ
ବଧିବ ସେ କୁଳର ରମଣୀ । ୪ ।