(ରଘୁନାଥ ରାଜଗୁରୁ)
ଶ୍ୟାମ ସୁନ୍ଦର ହେ ଜଣାଗଲା ତୁମ୍ଭ ରୀତି
କେଉଁ ବାଳା ପ୍ରୀତିରୁ ହୋଇଗଲା ଏତେ ଗତି । ଘୋଷା ।
ଅଙ୍ଗ ଅଳସ ଅନଙ୍ଗ ରତି ପର
-ସଙ୍ଗ ମୋଦକ ଭୋଗରୁ
ରଙ୍ଗ ଦିଶଇ କୁରଙ୍ଗ ନେତ୍ର
ତରଙ୍ଗ ରହିତ ଉଦାରରୁ
ଅଙ୍ଗନାର ଉତ୍ତୁଙ୍ଗ କୁଚ ପର
-ସଙ୍ଗ ରସ ସମ୍ଭୋଗରୁ
କର ଶୋଭା ଚନ୍ଦନ କସ୍ତୁରୀ ସଂଯୋଗରୁ । ୧ ।
କାର ନଖର କହ୍ଲାର କ୍ଷତକୁ
ସ୍ୱୀକାର କରିଛ ଅପାର ହେ
ସାର ଏଥକୁ ତୁଷାର କର ଗନ୍ଧ
-ସାର ଲେପ ବିଚାରି ହେ
ସାର ଝଗଡ଼ ସୁସାର ତନୁ ସୁକୁ
-ମାର ନନ୍ଦକୁମାର ହେ
ଲୁଚାଇଲେ ଲୁଚଇ କି ବିଟପ ବେଭାର ହେ । ୨ ।
ବାରମ୍ବାର ବିନତି କର ଏବେ ଉଚ୍ଚାର
କର ଚାଟୁ ଉତ୍ତର ଗିରମାନରେ
ମାର ମୁକୁର ମୁଦାହର ସୁଖ ହତ
ସାର କହ କି ନିଦାନ ରେ
ଯା ରମଣୀ ଯାରମଣି ମନକୁ ମଜା
ରମଶ ରସ ଦାନରେ
କଥା କହି ମଥା ତ ନ ପୋତ ବହନ ରେ । ୩ ।
କପଟ ପଟୁତର ରଟିଲେ ବଟି
ନିକି ପାରି ହେ
ଲଟପଟ କିରି ଚାରୁ ଉରୁବିଟ
ପିନ୍ଧି ଆସିଛ କି ତାରି ହେ
ଜୀବଟି ତୁଟି ତୁଟି କି ସୁଖକୁଟି
ହଟିବଟି ବିଚାରି ହେ
ହାଟକୁ ପାରି ନିଖଟ ଝିଟ ଛଟ କରି । ୪ ।
ବାଳ ଅର୍କ ପ୍ରବାଳ ଛବି
ସୁରସାଳ ଅର୍ଦ୍ଧକ ହାଲରେ
ଝାଳ ପଡ଼ି ତ ସୁଝାଳ ତନୁକୁ
ସମ୍ଭାଳ ନମଶତ ଖାଲରେ
ତା ଲଲାଟର ଲାଲ ସିନ୍ଦୂର
ଭାଲରେ ଅଛି ହାଲରେ
କହେ ବିପ୍ର ରଘୁନାଥ ପଡ଼ିଲ ପାଲରେ । ୫ ।