Sangata Re Chinta Hela Dekhi

ସଙ୍ଗାତ ରେ ଚିନ୍ତା ହେଲା ଦେଖି
(Somanatha Singha— Raga Saberi)
(ସୋମନାଥ ସିଂହ— ରାଗ ସାବେରୀ)

ସଙ୍ଗାତ ରେ ଚିନ୍ତା ହେଲା ଦେଖି ଘନ ଆଗତ
ନାହିଁ ମୋ କାନ୍ତ କି ବୁଦ୍ଧି କରିବି କହ ତ । ଘୋଷା ।

ଗଗନେ ବିଦ୍ୟୁ ଚମକ ଘଡ଼ଘଡ଼ିର ଧମକ
ସହି ନୋହେ ଡାହୁକ ଡାକ
ଶିଖରେ ଶିଖୀ ଉନ୍ମତ୍ତ ପୁଚ୍ଛ ଟେକି କରେ ନୃତ୍ୟ
ମନମଥ ଶରକୁ ମୁହିଁ ନ ପାରେ ସହି
(ପଡ଼ି)
କହ ସଖୀ ଆରେ ଥିଲେ ତୋର ବିଚାର
ନାହିଁ ମୋର କେହି କାନ୍ତ ବିନା ସଂସାର
ବୁଦ୍ଧି ନ ଦିଶଇ ହେଉଅଛି ଆତୁର
କହୁଅଛି ସହି କର ତୁ ପ୍ରତିକାର । ୧ ।

ହେଲାଣି ବହୁତ ଦିନ ରହିଲେ ଜୀବଜୀବନ
ନଇଲେ କିମ୍ପାଇ ସଦନ
ଭାଷନ୍ତି ଚାଟୁ ବଚନ ଗୋ କହନ୍ତି ମୋ ଦୁଃଖମାନ
ବଞ୍ଚନ୍ତି ଏ ଦୁର୍ଦ୍ଦିନ ଦିନ ପରାଣଧନ
(ପଡ଼ି)
ଫୁଟିଲେଣି ଏବେ ଜାତି ଜାତି ମାଳତୀ
ମଲ୍ଲୀ କଳିକାରେ ଦେଖ ଅଳି କେଳି କରନ୍ତି
ବେଳକୁ ବେଳକୁ ଏବେ ଜଳ ବୃଷ୍ଟି କଲାତି
ଇନ୍ଦ୍ରଧନୁ ନୀଳବର୍ଣ୍ଣ ପ୍ରଭା ପ୍ରକାଶିଲାତି । ୨ ।

ହୋଇଲେ ନଦୀ ପ୍ରବଳ ପୂରି ନାଶ କଲେ କୂଳ
ମକମକ ଭେକ ଚହଳ
ବିରହୀ ହୃଦ କାତର ମାରେ କରକା ପଥର
ବଞ୍ଚିବକି କେହି ଏଥର
(ପଡ଼ି)
ମାର ନିଷ୍ଠୁର ରହିବତି କେହୁ ବର୍ତ୍ତି ତାର ମୁଖର
ନାହିଁ ନାହିଁ ସହି ଆରେ କାନ୍ତ ମୋର ପାଖର
ତହିଁ ପାଇଁ ନିତ୍ୟେ ମୁହିଁ କରୁଥାଇ ବିଚାର
ପାରିଲେ ତୁ ମୋତେ ରଖ ବେଗ ପେଶ ତୁ ଚାର । ୩ ।

ପୋଡ଼ୁ ଏ ଯୁବା ବୟସ ଏକାଳେ ନାଥ ବିଦେଶ
ରହିଥିବେ କେବଣ ଦେଶ
ଉଡ଼ୁଛି ମୋର ସାହସ ନ ପାଇ ତାଙ୍କ ସନ୍ଦେଶ
ନିଶ୍ଚେ ମୁହିଁ ଗଲିଟି ନାଶ କଲେ ନିରାଶ
(ପଡ଼ି)
ଧିକ ହେଉ ମୋର ବାସ ଭୋଜନ ଏ ନବ ବୟସେ
ଯଦି ହୋଇଲାନି କଷଣ
ମଦନକୁ ଡରି ଯେବେ ହରିଦେବି ପରାଣ
ଧନ ଥାଉ ଥାଉ ଯେବେ ହୋଇଲା ତ ଏମାନ । ୩ ।

ଏତେ ଭାଳି ମହୀ ଚାହିଁ ନେତ୍ରୁ ଲୋତକ
ପକାଇ ପ୍ରଖର ନିଃଶ୍ୱାସ ବହଇ
କୃପା କଲେ ମହେଶ୍ୱର ଆସନ୍ତେ ମୋହ ପାଖର
ନାଶ ଯାନ୍ତା ଗିରୀଶପର ପ୍ରାଣ ଈଶ୍ୱର
(ପଡ଼ି)
ବସାଇଣ ଅଙ୍କେ ଚୁମ୍ବନ ମୁଁ ଦିଅନ୍ତି
ବିନୋଦ ଭାବରେ ମୁହିଁ ତାଙ୍କ ମନ ଦୋହନ୍ତି
ସେ ବ୍ରଜନାଗର ପାଶୁଁ ଆଉ ହର ନୁହନ୍ତି
ସୋମନାଥ ବୀରବର ଜଗଦ୍ଦେବ କହନ୍ତି । ୪ ।