(ବିକ୍ରମଦେବ ବର୍ମ୍ମା— ରାଗ ବିହାଗ, ତାଳ ଆଦିତାଳ)
କିଏ ସେ ନାଗର ସହି ଦିଶେ କେଡ଼େ ସୁନ୍ଦର
ବର ମାନବତୀ ଗଣ ଚିତ୍ତ ବିତ୍ତ ତସ୍କର । ଘୋଷା ।
ଅକଳଙ୍କ କଳାକର ସମ ମୁଖ ମନୋହର
ମତ୍ତ କଳାପି କଳାପ ମସ୍ତକରେ ଭାସୁର । ୧ ।
ସଜ ସରୋଜକୁ ଜିଣି ବିରାଜେ ନୟନ ବେନି
ଭସ୍ମ ହୀନ ପକ୍ୱ ବିମ୍ବ ଫଳ ପରି ଅଧର । ୨ ।
ସୁକୁମାର ଅପଘନ ନବୀନ ଘନ ସମାନ
କଟିତଟ ପୀତପଟ ସୌଦାମିନୀ ପ୍ରକାର । ୩ ।
ତାର ନିଶିତ ଈକ୍ଷଣ ବଡ଼ିଶକୁ ପକାଇଣ
ବଳେ ଓଟାରିନେଲା ମୋ ମନୋମୀନ ସତ୍ୱର । ୪ ।
ଯେ ସର୍ବଲୋକ ଲୋଚନ କୁମୁଦ ନିଶାରମଣ
ଯାର ପାଦ ପଦ୍ମେ ବୀର ଶ୍ରୀ ବିକ୍ରମ କିଙ୍କର । ୫ ।