(ବିକ୍ରମଦେବ ବର୍ମ୍ମା— ରାଗ ଆହାରୀ, ତାଳ ଆଦିତାଳ)
ଦେଖ ସଖୀ ମୋହନ ରୀତିକି । ଘୋଷା ।
ଚନ୍ଦ୍ରାବଳୀ ସଙ୍ଗେ ରାତି ଅତି ସରସରେ ମାତି
ଏବେ ଢୁଳି ଢୁଳି ଆସେ କତିକି । ୧ ।
ମୋତେ ରଖି ବନ ଭାଗେ ରହିଲା ତାର ସରାଗେ
କି ବୋଲି ବୋଲିବା ତାର ଧୃତିକି । ୨ ।
ଲାଜ ନାହିଁ ତାର ମୁଖେ ଆସୁଅଛି କେଉଁ ସୁଖେ
ପୁର ଛଡ଼ାଇଣ କୁଳବତୀକି । ୩ ।
ଶ୍ରୀ ବିକ୍ରମଦେବ ନୁତ ଶଠାଗ୍ରଣୀ ଗୋପସୁତ
ଏବେ କରିବ କେତେ ବିନତିକି । ୪ ।