Balamani Mun Kari Nahin

ବାଳାମଣି ମୁଁ କରି ନାହିଁ
(Vikram Deb Varma— Raga Kumbha Kamodi, Tala Aditala)
(ବିକ୍ରମଦେବ ବର୍ମ୍ମା— ରାଗ କୁମ୍ଭକାମୋଦୀ, ତାଳ ଆଦିତାଳ)

ବାଳାମଣି ମୁଁ କରି ନାହିଁ ଦୋଷ
ଅକାରଣେ କିମ୍ପା ବହିଛୁ ରୋଷ
ବୃଷଭାନୁ ତନୟା ହେଲେ ନିର୍ଦ୍ଦୟ ହିଆ
ବିରହାନଳେ ମୁଁ ଗଲିଟି ନାଶ । ଘୋଷା ।

ଗତ ରାତ୍ରରେ ଆସୁଁ ତୁମ୍ଭ ପାଶ
ନିକୁଞ୍ଜ ପଥୁଁ ମୋତେ ନୀଳବାସ
ସଖାଗଣ ସଙ୍ଗରେ ଖେଳିବାକୁ ରଙ୍ଗରେ
ବଳେ ନେଇ କଲେ ଏ ନାରୀ ବେଶ । ୧ ।

ତରଣି ତନୟା ତଟେ ମହେଶ
ପ୍ରିୟା ପୂଜୁଁ ହେବାରୁ ନିଶି ଶେଷ
ସଖାଗଣକୁ ଛାଡ଼ି ଆସିଲି ମୁଁ ଦଉଡ଼ି
ହୋଇଣ ଶଙ୍କା ପଙ୍କିଳ ମାନସ । ୨ ।

ହେଠ କର କିମ୍ପା ମୁଖ ସାରସ
କଟୁ ବାଣୀଗଣ କାହିଁକି ଭାଷ
ଶ୍ରୀ ବିକ୍ରମ ବନ୍ଦିନୀ ରାସ ବିନୋଦିନୀ
ତରେ କୋଳ କରି ଦାସକୁ ତୋଷ । ୩ ।