Ahe Nanda Kumara

ଆହେ ନନ୍ଦ କୁମର
(Vikram Deb Varma— Raga Ahari, Tala Attatala)
(ବିକ୍ରମଦେବ ବର୍ମ୍ମା— ରାଗ ଆହାରୀ, ତାଳ ଅଟ୍ଟତାଳ)

ଆହେ ନନ୍ଦ କୁମର ଛାଡ଼ ଏ କପଟ ଗିର । ଘୋଷା ।

ମୁଁ ଆସିବି ବୋଲି କହିଥିଲ କାଲି
ଧରି ମୁରଲୀ ନିକର । ୧ ।

କାର ନୀଳଚେଳ ପରିଧାନ କଲ
ଲାଜ ଭୟ କରି ଦୂର । ୨ ।

ଓଷ୍ଠରେ ଅଞ୍ଜନ ନୀଳ ସୁରଞ୍ଜନ
କପୋଳେ ସିନ୍ଦୂର ଗାର । ୩ ।

ଗଣ୍ଡେ ଦନ୍ତକ୍ଷତ ଦେହେ ନଖଘାତ
ସୁନ୍ଦର ଲାକ୍ଷା ବକ୍ଷର । ୪ ।

ତେଜି କୁଟଜକୁ କଞ୍ଜ ଚୁମ୍ବିବାକୁ
ଆସିଛ ଭୃଙ୍ଗ ନାଗର । ୫ ।

ଛାଡ଼ ପଦ୍ମ ଆଶ ଶ୍ରୀ ବିକ୍ରମପୋଷ
ଯାଅ ଏ ନୁହେ କାସାର । ୬ ।