Tora Mora Deha Eka

ତୋର ମୋର ଦେହ ଏକ
(Vikram Deb Varma— Raga Soma, Tala Aditala)
(ବିକ୍ରମଦେବ ବର୍ମ୍ମା— ରାଗ ସୋମ, ତାଳ ଆଦିତାଳ)

ତୋର ମୋର ଦେହ ଏକ ପୂର୍ବେ ବୋଲିଥିଲ ତ
ବ୍ରଜ ଦ୍ୱିଜରାଜ ଆଜ ହେଲା ତା ସଫଳ ତ । ଘୋଷା ।

ବିରହେ ମୁଁ ଜାଗରିଣୀ ହୋଇଲି କାଲି ରଜନୀ
ତୁମ୍ଭ ବେନି ନେତ୍ରକଞ୍ଜ ହୋଇଅଛି ଲାଲ ତ । ୧ ।

ତୁମ୍ଭ ଦେହ ନଖ ଦନ୍ତ କ୍ଷତେ ହୋଇଛି ଅଙ୍କିତ
ମୋର ଅନ୍ତର୍ଗତେ ଜଳୁଅଛି ଘୋର ଜ୍ୱାଳା ତ । ୨ ।

ତୁମ୍ଭ ବିମ୍ବାଧରେ କାଳି ଲାଗିଅଛି ବନମାଳୀ
ମୋର ଶରଚ୍ଚନ୍ଦ୍ର ମୁଖ ହୋଇଛି ଶ୍ୟାମଳ ତ । ୩ ।

ମୁହିଁ ବାସ ଶେଯ ଛାଡ଼ି କାନ୍ଦୁଅଛି କୁଞ୍ଜେ ଗଡ଼ି
ଗୋପୀ ବାସଚୋର ଗଦଗଦ ତୁମ୍ଭ ବୋଲ ତ । ୪ ।

ବିକ୍ରମଦେବ ପାଳକ ଭେଦ ଏତିକି ମାତ୍ରକ
ଦିବ୍ୟହେମ ଗୌରାଙ୍ଗୀ ମୁଁ ତୁମ୍ଭ ଦେହ ନୀଳ ତ । ୫ ।