(ବିକ୍ରମଦେବ ବର୍ମ୍ମା— ରାଗ ମରୁଆ, ତାଳ ରୂପକ)
ସଜନୀ କରି ନାହିଁ ଦୋଷ
ତୋ ବେନି ପାଦ ସାରସରେ । ଘୋଷା ।
କାହା ବାଣୀ ଶୁଣି ଗୁଣମଣି ଏଡ଼େ ରୋଷରେ
କିଣାଜନ ଠାରେ ମାନ କରିବାରେ
କେତେ ଲଭିବୁ ପୌରୁଷରେ । ୧ ।
ତୋର ବିନା କାହାକୁ ନ ଜାଣଇଁ ଅବଶ୍ୟ
ତୋ ଅଙ୍ଗକୁ ଛୁଇଁ ନିୟମକୁ ମୁହିଁ
କରିବି ଲଭି ହରଷରେ । ୨ ।
ତୋ ହୃଦୟ ହାରଫଣୀ କରୁ ମୋର ନାଶ
ମୋହର ବଚନେ ରେଣୁର ସମାନେ
ମିଛ ପାଇଲେ ପ୍ରକାଶରେ । ୩ ।
କଲି ଯେବେ ଦଣ୍ଡ ଭଳି ଅକ୍ରମ ତୋ ପାଶ
ନଖକୁନ୍ତେ ତୋର ବିଦାରି ମୋ ଉର
ବଜ୍ରଦନ୍ତେ ଗଣ୍ଡ ଦଂଶରେ । ୪ ।
ବିକ୍ରମ ବନ୍ଦିନୀ ମାନ ତେଜ କୋଳେ ବସ
ଦାସ ନାଶ ଗଲା ବେଳେ କଲେ ହେଳା
ରହିବଟି ଅପଯଶରେ । ୫ ।