(ବିକ୍ରମଦେବ ବର୍ମ୍ମା— ରାଗ ଶ୍ରୀ, ତାଳ ଆଦିତାଳ)
ରାଧା ତୁହି ତୀର୍ଥ ରୂପିଣୀ ଜଗତେ
କୃପାକଟାକ୍ଷୀ କଟାକ୍ଷେ ଚାହାଁ ମୋତେ
ପାଶୁଁ କଲେ ଅନ୍ତର ମୁଁ ହେବିଟି କାହାର
ଶମ୍ପାଗୋରୀ ବିଚାର କର ସୁଚିତ୍ତେ । ଘୋଷା ।
ସଖୀ ମଣିକର୍ଣ୍ଣିକା ବେନି ଶ୍ରବଣ
ମୃଗନେତ୍ରୀ ନର୍ମଦା ତୋର ଈକ୍ଷଣ
ସୁକଶଳୟ ପାଣି ପୁଷ୍କର ତୋର ପାଣି
ପଦ୍ମାନନ ମୁଖ ଚନ୍ଦ୍ରଭାଗା ସତେ । ୧ ।
କୁନ୍ଦରଦନା ପ୍ରଭାସ ତୋ ରଦନ
ପିକବଚନା ସରସ୍ୱତୀ ବଚନ
ତୋ ବେଣୀ କୃଷ୍ଣବେଣୀ ତୁ ସୁରତରଙ୍ଗିଣୀ
ଗୋଦାପଦ ସମସ୍ତ ଦେବତାନୁତେ । ୨ ।
ତୋର ଲୀଳାସମୁଦ୍ର ବିଳାସବତୀ
ବର୍ଣ୍ଣିବାକୁ ନ ଅଣ୍ଟିବ ଦିନରାତି
ଆଚରି ତପ ଘୋର ସକଳ ତୀର୍ଥେ ତୋର
ଦେହେ ବାସ କରିଅଛନ୍ତି ସାକ୍ଷାତେ । ୩ ।
ମାନ ତେଜ ମୁଁ ତୋର କିଣା କିଙ୍କର
କୋମଳାଙ୍ଗୀ ଅଙ୍ଗୀକାର ମୋତେ କର
ତୋ ଦେହ ସ୍ପର୍ଶମାତ୍ରେ ନ ରହିବ ମୋ ଗାତ୍ରେ
ପାପଚୟ ବିକ୍ରମଦେବ ବନ୍ଦିତେ । ୪ ।