(ଗୋବର୍ଦ୍ଧନ ରଥ— ରାଗ ଆଶାବରୀ, ତାଳ ଅଟ୍ଟତାଳ)
କାହାରେ ରାଧା ଏଡ଼େ ମାନ ତୋରରେ
ସାର ବୋଲି ବିଚାରୁଛୁ ହେବଟି ଅସାରରେ । ଘୋଷା ।
ଲବେ ନ ଦେଖିଲେ ଯାକୁ କଳ୍ପ ହୁଏ ତୋରରେ
ବିନୟ କରୁଛି ସେହି ନ କରୁ ଆଦରରେ । ୧ ।
ଯା ଘେନି କୁଞ୍ଜେ ତୁ ଜାଗରିଣୀ ତେଜି ପୁରରେ
ଚାହଁ ସେହି ଉଭା ହୋଇଛି ଆଗେ ତୋହରରେ । ୨ ।
କୁଳଶୀଳ ଜାତି ପତିବ୍ରତା ଧର୍ମ ସାରରେ
ଛାଡ଼ି ଯାହାକୁ ରସିଲୁ ସେ କି ତୋର ପରରେ । ୩ ।
ଯାହା ପାଇଁ ଗୁରୁଭୟ ଲାଜ କରି ଦୂରରେ
ବନେ ଅଛୁ ତାକୁ କିମ୍ପା କରୁ ତିରସ୍କାରରେ । ୪ ।
ତୋର ପରି ନାରୀ ତାର ନୁହଇ କନ୍ତାରରେ
ଶ୍ରୀଦେବୀ ଭୂଦେବୀ ଯାର ଖଟନ୍ତି ପୟରରେ । ୫ ।
ତୋତେ ମାର ଶରାନଳେ ଦହିବ ନିକରରେ
ତେଜିଲେ ଗୋବର୍ଦ୍ଧନ ରଥ ଚିତ୍ତାବ୍ଜ ସୂରରେ । ୬ ।