(ବିକ୍ରମଦେବ ବର୍ମ୍ମା— ରାଗ ସୋମ, ତାଳ ଆଦିତାଳ)
ସଜନୀଏ ନ କହ ସେ କୃଷ୍ଣ କଥା ଏଣିକି
ଜୁହାର କରୁଛି ଧରି ତୁମ୍ଭ ବେନି ପାଣିକି । ଘୋଷା ।
ମୁହିଁ ନୃପନନ୍ଦିନୀ ଚନ୍ଦ୍ରାବଳୀ ଗୋପାଳୁଣୀ
ଆମ୍ଭ ତାରତମ୍ୟ ଶ୍ୟାମ ଜାଣି ନାହିଁ ସତେ କି । ୧ ।
ସେ ହରି ଭୁଜଙ୍ଗମଣି ପରତେ କରି ତା ବାଣୀ
ବାସ ବିଷ ମଣି ଦୁଃଖେ ବନେ ନେଲି ରାତିକି । ୨ ।
ମୋ ଦେହ ଯତେ କଷଣ ସହିଲା ତ ତାହା ଜାଣ
ଆବର ବୋଲ କିପରି ଏବେ ପାଳ ପ୍ରୀତିକି । ୩ ।
ମୁରଲୀ ଛୁଇଁ ନିୟମ କରି କରାଇ ଭରମ
କରିବା ଫଳ ମୋତେ ଆଉରି ଅଣ୍ଟି ନାହିଁକି । ୪ ।
ସେ ଶ୍ରୀ ବିକ୍ରମ ପାଳକ ଶଠ ଲମ୍ପଟ ନାୟକ
ତାର ମୋର ଭେଟ ଆଉ ଏ ଜନ୍ମରେ ଏତିକି । ୫ ।