(ବିକ୍ରମଦେବ ବର୍ମ୍ମା— ରାଗ ଆଶାବରୀ, ତାଳ ଅଟ୍ଟତାଳ)
ସଜନୀ ଚାହାଁ ଶ୍ରୀ ନନ୍ଦ ତନୁଜକୁ
ଶ୍ରୀମୁଖାଖଣ୍ଡ ଶାରଦକାଳ ଦ୍ୱିଜରାଜକୁ । ଘୋଷା ।
ଚାରୁ ଚାମିକର ଗୋରୀ ଶ୍ରାବଣ ବରଷା ସରି
ଲୋତକ ବହୁଥିବା ଲୋଚନ ରକ୍ତକଞ୍ଜକୁ । ୧ ।
ତାରକାଗଣ ପରିରେ ବସୁନ୍ଧରା ଗଗନରେ
ଛିଡ଼ି ପଡ଼ି ଦିଶିବାର ମନୋହର ସଜକୁ । ୨ ।
ତୁ ଡାକିବୁ ପରା ବୋଲି ଚାହିଁ ଚାହିଁ ବୁଲି ବୁଲି
ଯାଉଥିବା ଗମନ ମନ୍ଥର ଗଜରାଜକୁ । ୩ ।
ଗଲେ ଶ୍ରୀ ବିକ୍ରମପାଳ ଫାଟିବଟି ତୋ କପାଳ
ପଛେ କହିଲେ କି ହେବ ଏ ସଖୀ ସମାଜକୁ । ୪ ।