(ବିକ୍ରମଦେବ ବର୍ମ୍ମା— ରାଗ ପଞ୍ଚମ ବରାଡ଼ି, ତାଳ ଅଟ୍ଟତାଳ)
ସୁନା ବରନା ବଞ୍ଚି ପାରେ କି
ଏକା ହୋଇ ମୋ ବିନା । ଘୋଷା ।
ମୋ ସଙ୍ଗ ଅନ୍ତର ଲବେ କଳ୍ପ ଯାର
ବିଚାର ହୁଅଇ ଏବେ ମୋତେ
ତେଜି ଏ ଘୋର ଦୁର୍ଦ୍ଦିନେ ମୋହର ସଖୀ ଜୀବନେ
କେସନେ ରହିବ ଏ ମୋ ଭାବନା । ୧ ।
ମଧୁବାତ ଶୁକ ଶାରୀ ଭୃଙ୍ଗ ପିକ
ସେନା ସାହା ଘେନି ମାରବୀର
ପାଶେ ନ ଥିବାରୁ ମୁହିଁ ଏକଲା ବାଳାକୁ ଚାହିଁ
ଚଣ୍ଡକାଣ୍ଡେ ଦେଉଥିବ ଯାତନା । ୨ ।
ମଧୁମାଳତୀ କୁସୁମ ସଙ୍ଗତି
ଦେଖି କାମୋନ୍ମାଦେ ମୋତେ ଧ୍ୟାଇ
ଉଠି ଶୂନ୍ୟେ କୋଳ କରି ଦେହୁଁ ଜ୍ଞାନ ଥିବ ହାରି
ରସାରେ ପଡ଼ି ହୀରକ ରଦନା । ୩ ।
ସହଚରୀ ବୃନ୍ଦ ଧନୀର ଏ ମନ୍ଦ
ଦଶା ଦେଖି ରଖିବେ କି ପ୍ରାଣ
ଚିନ୍ତାମଣିକି ମୁଁ ବାଇ ଅଖଡ଼େ ଦେଲି ହରାଇ
ଛାଡ଼ି ଅଇଲି ଯା ଚନ୍ଦ୍ରବଦନା । ୪ ।
ବିହି ହେଲା ପର ହେଲି ନାରଖାର
ଆଉ ମହୀରେ ଥିବି କାହିଁକି
କି କାର୍ଯ୍ୟ ଏ ବୃନ୍ଦାବନ ତେଜିବି ଛାର ଜୀବନ
ଯଦି ତେଜିଲି ବିକ୍ରମ ବନ୍ଦନା । ୫ ।