(ବିକ୍ରମଦେବ ବର୍ମ୍ମା— ରାଗ ପଞ୍ଚମ ବରାଡ଼ି, ତାଳ ଆଦିତାଳ)
କି କହିବୁ ଆମ୍ଭେ ତୋର ଛାମୁରେ ରମଣୀବର
ଶ୍ରୀ ହରିଙ୍କି କରି ଦୂର ରାଧିକା କୋପ ପ୍ରଖର । ଘୋଷା ।
ଘଉଡ଼ି ସଖୀଙ୍କି ତୂର୍ଣ୍ଣ ତମାଳେ ଲିପାଇ ଚୂର୍ଣ୍ଣ
ନିୟମିଛି କୃଷ୍ଣବର୍ଣ୍ଣ ନ ପଡ଼ିବ ନେତ୍ରେ ତାର । ୧ ।
ଦର୍ପଣରେ ନିଜ କଳାକେଶ ଭୂରୁ ନେତ୍ର ଡୋଳା
ଦେଖି କ୍ରୋଧେ ନବ ବାଳା ତରେ ଭାଙ୍ଗିଲା ମୁକୁର । ୨ ।
ପାଲଟି ନୀଳ ବସନ ଶୁଭ୍ର ବସ୍ତ୍ର ପରିଧାନ
କରି ସୁନୀଳ ଭୂଷଣ ତେଜିଛି ଲଳନାବର । ୩ ।
ଭୃଙ୍ଗ ପରଭୃତ ଶାରୀ ଦିଶିଲେ ଲୋଡ଼ଇ ମାରି
ହୋଇଛି ବାତୁଳୀ ପରି ବୃଷଭାନୁଜା ନିକର । ୪ ।
ବିକ୍ରମାର୍ଚ୍ଚିତ ରାଧିକା ରହିଅଛି କୁଞ୍ଜେ ଏକା
ତା ଛାମୁକୁ ଛାଡ଼ି ଦକା ଯିବାକୁ ଦମ୍ଭ କାହାର । ୫ ।