(କବିଚନ୍ଦ୍ର କାଳୀଚରଣ— ରାଗ ମଲ୍ଲାର, ତାଳ ଏକତାଳି)
ପ୍ରାଣ ବାନ୍ଧବୀ ଜାଣରେ
ତୋ ବିନେ ଧନ ଧରିବି କି କରି ଜୀବନ । ଘୋଷା ।
ଡାକିଲା ଡାହୁକ ଭେକ ଅନା ଘନ ରଜନୀ
ଚଡ଼କ ବିଜୁଳି କୋଳେ ଖେଳିଲାନି ସଜନୀ
ମିନତି ଘେନ ତୁ ସଖୀ ମାନ ମୋ ଆନ । ୧ ।
ପୁଲକ ତନୁରେ ଲେଖି ଉଲ୍ଲସିଲା କଦମ୍ବ
ସତେ ରେ ନବ ନବୀନା ପରଖିଲା ତୋ ଦମ୍ଭ
ମାଳତୀ ହସିଲା ଚାହିଁ ତୋର ବିମନ । ୨ ।
ବରହୀ ବିରହୀ ହୋଇ ପୁଚ୍ଛ ଟେକି ନାଚିଲା
ଘନର ଓଢ଼ଣୀ ତଳେ ଜହ୍ନ ଲାଜେ ଲୁଚିଲା
କବିଚନ୍ଦ୍ର କହେ ଧନ ନ ତୁଟିଲା ମାନ । ୩ ।