(କବିଚନ୍ଦ୍ର କାଳୀଚରଣ— ରାଗ ପିଲୁ, ତାଳ ଏକତାଳି)
ବନ୍ଧୁରେ କାହିଁକି ମିଛେ ବିମନା ମୋହନେ । ଘୋଷା ।
ଝୁରି ସେ ତୋର ନାଆଁରେ କନକ ବରନାରେ
ଯମୁନା ତଟ ନୀପତରୁ ବନ ନିକଟ
ପଥରେ ଲୁଟେ ଧୂଳି ଶୟନେ । ୧ ।
ତୁଚ୍ଛାକୁ ଏ ରୁଷାଣି ଉଚିତ ନୁହେଁ ଧନୀ
ଗୁମାନ କରି ରହି ପାରିବୁ କିରେ ଗୋରୀ
ସହି ମଦନାନଳ ଦହନେ । ୨ ।
ମାନିବୁ କି ରେ ବାଧା ଡାକିଲେ ବେଣୁ ରାଧା
ଘର ପାଶୋରି ଘନ ତିମିର ତୁ ନ ବାରି
ଯିବୁ ଯମୁନା ତଟ ବହନେ । ୩ ।
କବିଚନ୍ଦ୍ର ବଦତି ଆରେ କୁନ୍ଦ ସୁଦତି
ମରମେ ତୋର ସତେ କାହିଁକି ଡାକ ତାର
ଭେଟୁ କି ନାହିଁ ନିଶି ସପନେ । ୪ ।