(କବିଚନ୍ଦ୍ର କାଳୀଚରଣ— ରାଗ ପିଲୁ, ତାଳ ଏକତାଳି)
ସରିଗଲି ଲାଜେ ସଜନୀ ତୋ ରାଣ ସତେ
ନଟବର ନବରଙ୍ଗ କହିବି କେତେ । ଘୋଷା ।
ଗୀରିଷମ ନିଶି ଶଶୀ ଗିରିସମ ଯାଏ ଦିଶି
କୁଞ୍ଜେ କୁଞ୍ଜେ ମଧୁ ସଞ୍ଜେ ଥିଲି ବସି
ଚାହିଁ ଏକା ସେ ମୋ ପାଶେ ମିଳିଲେ ଆସି
ଚାରୁ ଚନ୍ଦ୍ର ଦରଶାଇ ଚୁମ୍ବିଲେ ମୋତେ । ୧ ।
ଛଇଳ ସେ ବାସଚୋର ଛପି ପଛେ ପଛେ ମୋର
ଅଙ୍ଗବାସ ଭିଡ଼ା ଫେଇ ଅଜାଣତେ
ବନ୍ଧୁ ସଙ୍ଗେ ସାଥୀ ହେଲ ସେ କି ସତେ
ଲାଜେ ସରିଗଲି କେତେ ଖୋଜିଲି ତୋତେ । ୨ ।
କବିଚନ୍ଦ୍ର ଥିଲା ଚାହିଁ କହିଲା ସେ ଚାନ୍ଦମୁହିଁ
ଆଉ କାହିଁ କହ ମାନ ଗୁମାନ ତୋର
ପାଶେ ପାଶେ ମିଳିଲେ ତ ତୋ ମନ ଚୋର
ଅଙ୍କେ ବସି ପ୍ରିୟ ସଙ୍ଗେ ରସ ସୁରତେ । ୩ ।