(କବିଚନ୍ଦ୍ର କାଳୀଚରଣ— ରାଗ ସେନା, ତାଳ ଏକତାଳି)
ଏ ଘନ ଦିନ ଘନ ଘେରିଲା ରେ
ଧନ ବିରହେ ମନ ଘାରିଲେ ରେ । ଘୋଷା ।
ଘନ ଘନ ବରଷା ଲଭି ସୁରସା ରସା
ନିରସ ସରେ ନୀର ଭରିଲା ରେ
ଚାହିଁ ଚପଳା ଛାଇ ଜୀବ ଜୀବନେ ନାହିଁ
ନୟନ କୋଣେ ନୀର ପୂରିଲା ରେ
(ପଡ଼ି)
ମକମକ ଶବଦେ ପୁଲକେ ଡାକେ ଭେକ
ଡାହୁକ ରହି ରହି ହେଲାଣି ବାବଦୁକ
ଝିଙ୍କାରୀ ଆଳାପରେ ଭରେ କାନନ ଯାକ
ନଟନ ବରହୀ ରହି ବିଯୋଗିନୀ ହିଆ ଚିରିଲା । ୧ ।
ଫୁଟି ନବ କଦମ୍ବ ଦମ୍ଭ କଲାଣି ଚୂନା
କଳା ଘନେ ଖେଳିଲା ଚପଳା ତନୁ ସୁନା
ଗରବେ କିଆ ଫୁଟି ତୋଳିଲା ଶର ମୁନା
ମାଳତୀ ତନୁ ବାସେ ଭରିଲା ରେ
(ପଡ଼ି)
ପଡ଼ୁ ପଡ଼ୁ ଚଡ଼କ ମୋ ପରା ନାରୀ ଶିରେ
ଘନ ଡାକେ ନାଗର ଯାର ପରବାସୀରେ
କବିଚନ୍ଦ୍ର ବିଚାରେ ବରି ପ୍ରୀତି ଫାସିରେ
ମଦନ ସିନା ତୋରେ ସାରିଲାରେ । ୨ ।