(କବିଚନ୍ଦ୍ର କାଳୀଚରଣ— ରାଗ ଭୈରବୀ, ତାଳ ତ୍ରିପଟା)
ସରସ ଶିରୀମୁଖେ ବିରସ କାହିଁକି
ପରାଗ ଝରିଲା ସରି କମଳ ଛଇକି ସଖୀ । ଘୋଷା ।
କହରେ ନବ ଚତୁରୀ ଛଳ ମନୁ ପରିହରି
ଆନ ଫୁଲେ ଭୁଲି ଅଳି ଚୁମ୍ବିଲା ନାହିଁକି ସଖୀ । ୧ ।
ସରି ନାହିଁ ଶଶୀ ରାତି ମଳିନ ନ ଦିଶେ ବତୀ
ହରାଇ ବସିଛୁ ଧୃତି ହୋଇଲୁ ବାଇ କି ସଖୀ । ୨ ।
ପର ପରା ତୋତେ କରି ରହି କି ପାରିବ ହରି
ସେ ଯେ ନିତି ମରେ ଝୁରି ତୋ ପଦ ଛାଇକି ସଖୀ । ୩ ।
କବିଶଶୀ କହେ ରାଇ ମୋହନ ତୋ ଲାଗି ବାଇ
ବରଜି ତୋ ସଙ୍ଗ କାହିଁ ପାରିବ ରହି କି ସଖୀ । ୪ ।