(କବିଚନ୍ଦ୍ର କାଳୀଚରଣ— ରାଗ ବିହାଗଡ଼ା, ତାଳ ଆଠତାଳି)
ସହୀରେ ସହିଲି ମହୀରେ ସତେ କି ଦଶା
ନାହିଁରେ କାହିଁ କେ ମୋ ସରି ଖୋଜିଲେ ରସା । ଘୋଷା ।
ଅନ୍ଧାର ନିଶି ବୋଲି ନୀଳଶାଢ଼ୀ ଘେନିଲି
ଅଭିସାରେ ବଳାଇ ଆଶା
କପାଳ ଗଲା ଫାଟି ପଥେ ଚାନ୍ଦ ଚହଟି
ସାରିଲା ମୋର ଭରସା । ୧ ।
ପଡ଼ିଲି ତା ହାବୁଡ଼େ ଡରି ମରେ ଯାହାରେ
କୁଟିଳା କଟୁ ଯା ଭାଷା
ରାଧା କୁଳଟା ବୋଲି ଜନେ ରଟିବେ କାଲି
କୁଳିଶ ହେବ ବରଷା । ୨ ।
ଶୁଣିଲା କବିଶଶୀ ଲଳିତା କହେ ହସି
ଏ ପରା ମାଧବ ନିଶା
କୁଳଟା କହୁ କେହି ପସରା କିବା ସହି
ଛାର ତ ଏ ଲୋକହସା । ୩ ।