Jani Nathili Sajani

ଜାଣି ନଥିଲି ସଜନୀ
(Kabichandra Kali Charan— Raga Sena, Tala Athatali)
(କବିଚନ୍ଦ୍ର କାଳୀଚରଣ— ରାଗ ସେନା, ତାଳ ଆଠତାଳି)

ଜାଣି ନଥିଲି ସଜନୀ ଦରହାସ କିସ ବୋଲି
ଶିଖି ନଥିଲି ସଜନୀ ଅଳସୀ ମରାଳୀ ଚାଲି । ଘୋଷା ।

ଢଳା ଅନାଉଣି ସତେ ଜଣା ତ ନଥିଲା ମୋତେ
ରଦନେ ପଣନ୍ତ ଭିଡ଼ା ଶିଖିଲି ମୁଁ ପରା କାଲି । ୧ ।

ମନ କଥା କେବେ ସହି ଆଖିରେ ନଥିଲି କହି
କି କରିରେ ନ ପଢ଼ି ସେ ପାଠ ପାଟ ଚାଟ ହେଲି । ୨ ।

ଦମଦମ ହେବା ଛାତି ଘୁମ ଭୁଲା ମଧୁରାତି
ଛାଇ ଦେଖି ବାଇ ହେବା ଆଗେ ତ ବାରି ନଥିଲି । ୩ ।

କବିଚନ୍ଦ୍ର କହେ ଧନ ଅତନୁରେ ଗୁରୁ ମାନ
ଆହୁରି ଯା ଅଛି ବାକି ବଢ଼ାଇ ଦେବ ସେ ବେଲି । ୪ ।