Mora Marana Sreya Go

ମୋର ମରଣ ଶ୍ରେୟ ଗୋ
(Kisorachandra— Raga Ghantaraba, Tala Jati)
(କିଶୋରଚନ୍ଦ୍ର— ରାଗ ଘଣ୍ଟାରବ, ତାଳ ଯତି)

ମୋର ମରଣ ଶ୍ରେୟ ଗୋ
ଜୀବନୁ ସଖି ପୁରୁଷ ତ୍ରୟେ
ବଳିଅଛି ମୋ ହୃଦୟ । ଘୋଷା ।

ଏଥୁ ଏକ ଜଣକର କୃଷ୍ଣ ବୋଲି ଦ୍ୱିଅକ୍ଷର
ପଡ଼ି ଶ୍ରବଣ ବିବର ଧୃତି କରିଦିଏ କ୍ଷୟ । ୧ ।

ପୁଣି ଆଉ ଜଣକର ବଂଶୀନାଦ ସୁମଧୁର
ଉନ୍ମାଦକୁ ବାରମ୍ବାର ବାଢ଼ୁଅଛି ଏ ସମୟ । ୨ ।

ଅନ୍ୟ ଜଣରେ ସଖୀ ଘନଛବି ଚିତ୍ର ଦେଖି
ମନ ସମସ୍ତ ଉପେକ୍ଷି ହେଉଅଛି ଲୟ । ୩ ।

କୁଳବତୀଙ୍କର ଏହି ନିନ୍ଦିତ କଳଙ୍କ ସହି
ବଞ୍ଚିବି କି ଆଉ ମୁହିଁ ଦିଶୁ ତ ନାହିଁ ଉପାୟ । ୪ ।