(କିଶୋରଚନ୍ଦ୍ର— ରାଗ କେଦାରଗୌଡ଼ା, ତାଳ ଯତି)
ନବ ବସନ୍ତାଗମନେ କି ମୋଦ ନ ଦିଏ ମନେ । ଘୋଷା ।
ପ୍ରସରୁ ଦକ୍ଷିଣାନିଳ ପଲ୍ଲବିତ ପାଦପ କୁଳ
ବେଣୁ ବିଯୋଗିନୀ ତୁଳ ଦିଶେ ପତ୍ରାଳି ବିହୀନେ । ୧ ।
ବାର ବନିତାଙ୍କ ପରି ପତ୍ର ପୁଷ୍ପେ ସର୍ବ ବଲ୍ଲରୀ
ନବ ନବ ବେଶ ଧରି ନାଚନ୍ତି ମନ୍ଦ ସ୍ପର୍ଶନେ । ୨ ।
ନ୍ୟାୟପର ନରବର ନ୍ୟାୟ କୀର୍ତ୍ତି ଖ୍ୟାତି କାମର
ବୃଦ୍ଧି କରିଲା ବାସର ସାଧବୀ ସ୍ନେହ ସମ୍ମାନେ । ୩ ।
ଦରିଦ୍ର କୁଟୁମ୍ବାସକ୍ତ ମାନବର ଆୟୁଷବତ
କ୍ରମେ କ୍ରମେ କ୍ଷୟପ୍ରାପ୍ତ ହେବ ତୁଷାର ନିଦାନେ । ୪ ।
ସୁର ଗୁଲାପ ସ୍ତବକେ ଭୃଙ୍ଗ ଶାଳଗ୍ରାମ ଉତ୍ସୁକେ
ସ୍ଥାପି ମରନ୍ଦାଭିଷେକେ ମଜିଛି ଶତ୍ରୁ ସାଧନେ । ୫ ।
ପିକ ଚୂତ ସ୍ତବକରେ ଖେଳି ମନ୍ମଥ ସ୍ତବ କରେ
ରାଜେନ୍ଦ୍ର ଅହର୍ନିଶରେ ରସିଲେ ଶ୍ରୀକୃଷ୍ଣ ଧ୍ଯାନେ । ୬ ।