Ehi Ki Mo Kantha Tata Ratana

ଏହି କି ମୋ କଣ୍ଠତଟ ରତନ
(Kisorachandra— Raga Jhinjoti, Tala Attatala)
(କିଶୋରଚନ୍ଦ୍ର— ରାଗ ଝିଞ୍ଜୋଟି, ତାଳ ଅଟ୍ଟତାଳ)

ଏହି କି ମୋ କଣ୍ଠତଟ ରତନହାରା ରେ । ଘୋଷା ।

ନୂତନ ମତ୍ତକାଶିନୀ ସମାଜ
ମସ୍ତକ ଚମ୍ପକଝରା ରେ
ତ୍ରିଲୋକ ସାର ଶୋଭା ସମ୍ଭାର
କେଳିକାରା ରେ । ୧ ।

ଆସଇ ମନ୍ଦ ଗତି କରି ଆଳି
କରେ ଦେଇ କର ଭରା ରେ
ପଙ୍କଜ ପାଦ ହଂସକ ନାଦ
ଜ୍ଞାନହରା ରେ । ୨ ।

କୁନ୍ଦ ସୁନ୍ଦରତର ଦରହାସ
ଅପୂର୍ବ ପୀୟୂଷ ଧାରା ରେ
ମିଶାଇ ଯୋଷା ହୀରା ବରଷା
କରେ ଧରାରେ । ୩ ।

ଅଙ୍ଗ ସମ୍ଭୂତ ପରିମଳ କରେ
ଭୃଙ୍ଗକୁ ସମ୍ଭ୍ରମେ ତ୍ୱରାରେ
କି ଭଙ୍ଗିମାରେ ଶୁଭାଙ୍ଗୀ ମାରେ
ନେତ୍ର ଛୁରା ରେ । ୪ ।

ଏକାଳେ ପାଶ ସଜନୀକି ରାଧା
ଭାଷ ପ୍ରକାଶିଲେ ଧୀରାରେ
କିଶୋରଚନ୍ଦ୍ର ଭାଷେ ରାଜେନ୍ଦ୍ର
ନୃପ ହୀରା ରେ । ୫ ।