(କିଶୋରଚନ୍ଦ୍ର— ରାଗ ଭୈରବୀ, ତାଳ ଯତି)
ପ୍ରିୟ ଆଳି ଶୁଭୁଛି ମୁରଲୀ କାକଳୀ
ଶୁଣି ଏ ନିନାଦ କମ୍ପୁଛି ମୋ ହୃଦ
ଆଉ ନ ପାରେ ସମ୍ଭାଳି । ଘୋଷା ।
ହେଲା କେତେ ଦିନ ମଦନମୋହନ
ପ୍ରସନ୍ନ ମୁଖ ନଳିନ
ଦେଖି ନାହିଁ ସଖୀ ଚାଲ ଗୋ ଏକାକୀ
ହୋଇଥିବେ ଚନ୍ଦ୍ରାନନ । ୧ ।
ମୋର ନାମ ଧରି ବଂଶୀରେ ଶ୍ରୀହରି
ଡାକନ୍ତି ଶୁଣ କିପରି
ନ କର ଗୋ ହେଳା ଜାଣିଲେ କରାଳା
ଦେଲେ ଦେଉ ପଛେ ମାରି । ୨ ।
ଅଛି ମାନସରେ ଏ ମଧୁମାସରେ
କୃଷ୍ଣ ସଙ୍ଗେ ରାସକେଳି
କରିବି ତୋଷରେ ମୋହନ ପାଶରେ
ଏ ପ୍ରସଙ୍ଗ ଦେବୁ ଝାଳି । ୩ ।
କା ଆଖିରେ ଅବା କେ ସାମାନ୍ୟ ଯୁବା
ମୋ ହୃଦର ଗଣ୍ଠିଧନ
ତାହା ବାହାଭିଡ଼ା ରସାନନ୍ଦ ଛଡ଼ା
ସ୍ୱର୍ଗ ସୁଖେ ନାହିଁ ମନ । ୪ ।
ବନେ ତା ପଛରେ ବୁଲି ବୁଲି ଶିରେ
ବହିବି ପଦ କଠାଉ
ରାଜଇନ୍ଦ୍ର ଭାଷେ ଏଥୁ ବଳି ବିଶ୍ୱେ
କେଉଁ ଭାଗ୍ୟ ଅଛି ଆଉ । ୫ ।