(କିଶୋରଚନ୍ଦ୍ର— ରାଗ ଶଙ୍କରାଭରଣ, ତାଳ ଯତି)
ସରସିଜ ମୁଖୀ ଯିବା ଗୋ ଦେଖି
ଆସ ବହନ ରେ ସଜନୀ
ରାସ ବିଧାନେ ବଂଶୀ ନିଃସ୍ୱନେ
ପୂର୍ଣ୍ଣ ବୃନ୍ଦାବନ ରେ । ଘୋଷା ।
ଭଲା ସେ ନାଗରମଣି କେତେ ଭାବ ଅଛି ଜାଣି
ନ ଥିବ ତା ପରି କରିବାକୁ ଚୋରି
ସତୀ ମନ ଧନ ରେ । ୧ ।
ରାସ ଉତ୍ସବ ନିମନ୍ତେ ନ ଡାକିଲେ ବୋଲି ତୋତେ
ଲୋତକେ ନଜର ନଳିନ ସୁନ୍ଦର
ନେତ୍ର ଥନଥନ ରେ । ୨ ।
ବୁଝିବା ତାଙ୍କ ମରଜି ଲତାଜାଳେ ଲୁଚି ଆଜି
ରାହାସ ଦେଖିବା ପ୍ରଭାତୁଁ ଆସିବା
ବୁଲି ବନ ବନ ରେ । ୩ ।
ଲଳିତା ବଚନ ଶୁଣି ରାଧା ଭାଷିଲେ ଏ ବାଣୀ
ଭଣିଲେ ବିରସେ ରାଜଇନ୍ଦ୍ର କୃଷ୍ଣ
ପଦ କରି ଧ୍ୟାନ ରେ । ୪ ।