(କିଶୋରଚନ୍ଦ୍ର— ରାଗ ଶଙ୍କରାଭରଣ, ତାଳ ରୂପକ)
କିସ ଗୋ ଏ ଦେଖାଇଲୁ ବିଷକୁ ତ ଚଖାଇଲୁ
ବାସକୁ ଯିବା ବହନେ ଆସ ସହି । ଘୋଷା ।
ନିଶାରେ ବନକୁ ଆସି ଏ ନିର୍ଲ୍ଲଜ ରାସେ ରସି
ଦେଖିବା ସତୀର ଧର୍ମ ନିକି ଏହି
ଏତକ ଗଲାନି ଅଣ୍ଟି ମନ ହେଉଅଛି ଘାଣ୍ଟି
କି ଲାଭ ଅଛି ଗୋ କହ ଏଥେ ରହି । ୧ ।
କୁଳଟାକୁ ଯେ ଲଟାକୁ ଓଟାରି କରେ ହଟାକୁ
ସେହି ବିଟ ମୁକୁଟକୁ ହୃଦ ଦେଇ
ପ୍ରାଣ ହାରିବା ସହଜ ତହୁଁ ତ ବଳିଲା ଲାଜ
କହି ନୋହିବା ସେ ଦୁଃଖେ ଦହି ହୋଇ । ୨ ।
ଶାଶୁ ନଣନ୍ଦ ଗଞ୍ଜଣା ଶେଷକୁ ଶୁଣିବା ସିନା
ଏ ପୋଡ଼ା କପାଳେ ବିହି ଥିଲା ଲିହି
ଥିଲାକ ଗୋ ମୋ ଦଶାରେ ଭଗାରି ଉଡ଼ା ହସାରେ
ପଡ଼ିବାକୁ ଧିକ ପ୍ରାଣ ଯାଉ ନାହିଁ । ୩ ।
ଏଡ଼େ ଏ କପଟୀ ବୋଲି ତିଳେ ମୁଁ ଜାଣି ନ ଥିଲି
ତୁ ହେଲେ ନ କହିଲୁ କି ଲାଞ୍ଚ ପାଇ
ଏବେ ଏ ହାଟ ବସାଇ ହଟହଟାରେ ପକାଇ
କି ଲାଭ ନେବୁ ମୋ କାନେ କହ ସହି । ୪ ।
କାହାକୁ କହିବି କିସ ସବୁ ମୋ କପାଳ ଦୋଷ
ଘଟିବା କଥା ଅବଶ୍ୟ ଭୋଗେ ଦେହୀ
ଭଣେ ରାଜେନ୍ଦ୍ର ପୀରତି କ୍ରମ ତ ଏପରି ସତୀ
ଦୁଃଖ ଭୋଗି ଶେଷେ ସିନା ସୁଖ ପାଇ । ୫ ।