Abirate Abira Udila Re

ଅବିରତେ ଅବିର ଉଡ଼ିଲା ରେ
(SrichandanaEkatali)
(ଶ୍ରୀଚନ୍ଦନଏକତାଳି)

ଅବିରତେ ଅବିରତେ ଅବିର ଉଡ଼ିଲା ରେ । ଘୋଷା ।

ଲଳିତ ବସନ୍ତରାସ ରସେ ରସି ପୀତବାସ
ଗୋରୀଗଣ ସଙ୍ଗେ ହୋରି ଖେଳିବା ବଢ଼ିଲା ରେ । ୧ ।

କାହା ଗଳେ ଗଳେ ମିଳି କାହା ଉଚ୍ଚ କୁଚେ ବୋଳି
କେଉଁ ବାଳା ବନମାଳୀ ଶ୍ରୀଅଙ୍ଗେ ଜଡ଼ିଲା ରେ । ୨ ।

କେଉଁ ବାଳା ଅନୁରାଗେ ଆଳାପି ବସନ୍ତ ରାଗେ
କେ ପୁଲକି ବଲ୍ଲକୀ ଝଲ୍ଲକୀ ଝାଡ଼ିଲା ରେ । ୩ ।

କେଉଁ ବାଳୀ ମାରେ ତାଳି ନାଚେ ଶ୍ୟାମ ଢଳି ଢଳି
ହୁଳହୁଳି ରାସସ୍ଥଳୀ ଉଚ୍ଛୁଳି ପଡ଼ିଲା ରେ । ୪ ।

କେ ଗଣ୍ଡେ ଚୁମ୍ବନ ଦେଇ ଶ୍ରୀମୁଖୁଁ ତାମ୍ବୂଳ ଖାଇ
କେ ପିଅଇ ପିଆଇ ସୁବିବେକ ଏଡ଼ିଲା ରେ । ୫ ।

ଫିଙ୍ଗନ୍ତେ କାହା ନୟନେ ସେକ୍ଷଣି ସେହି ଅୟନେ
ବୋଲେ ଶ୍ରୀଚନ୍ଦନ ବେନିକର କେ ଆଡ଼ିଲା ରେ । ୬ ।


ଅବିରତେ ଅବିର ତ ଉଡ଼ିଲା ରେ
ଲଳିତ ବସନ୍ତରାସ ରସେ ରସି ପୀତବାସ
ଗୋରୀଗଣ ସଙ୍ଗେ ହୋରି ଖେଳିବା ବଢ଼ିଲା ରେ । ଘୋଷା ।

ମାରେ ମର୍ମ ଖୋଜି ଖୋଜି ନୀଳମଣି ଚନ୍ଦ୍ର ହେଜି
ବାମାଗଣ କି ସୁରଙ୍ଗ ଦିଶିଲା ରେ । ୧ ।

ବୃକ୍ଷଲତା ଯେତେ ଥିଲେ ଅବିରେ ରଙ୍ଗ ହୋଇଲେ
କାନନ କି ସିନ୍ଦୂରେ ମଣ୍ଡିଲା ରେ । ୨ ।

ପକ୍ଷୀ ମୃଗ ଗାବଗଣ ରଙ୍ଗିମା ହେଲେ ବହନ
ମାଣିକ୍ୟ ଛାଏଣି କିବା ବିହିଲା ରେ । ୩ ।

ଅବିର ଉଡ଼ି ଗଗନ ଭରତି ରଙ୍ଗ ବରନ
ଦଶଦିଗ ଆକାଶ ପୂରିଲା ରେ । ୪ ।

ଚନ୍ଦ୍ର କିରଣ ସୁରଙ୍ଗ ସର୍ବ ହୋଇଲା ବିରଙ୍ଗ
ବନଭୂମି ଚହଟି ଧାଇଁଲା ରେ । ୫ ।

ଯମୁନା ଜଳ କାଳିମା ହୋଇଗଲା ସେ ରଙ୍ଗିମା
ଏଥି କିଏ ହିଙ୍ଗୁଳ ଗୋଳିଲା ରେ । ୬ ।

ଇନ୍ଦ୍ରନୀଳମଣି ପରି କୃଷ୍ଣର ଅଙ୍ଗ ମାଧୁରୀ
କୋଟି ଅରୁଣର ପ୍ରଭା ଗଞ୍ଜିଲା ରେ । ୭ ।

ଭ୍ରମର କୋକିଳ ଯେତେ ବସନ୍ତ ବିହଙ୍ଗ କେତେ
ଶାରିକା ମୟୂରୀ ରଙ୍ଗ ହୋଇଲା ରେ । ୮ ।

ଏମନ୍ତ ସମୟ ଜାଣି ଶ୍ରୀଚନ୍ଦନ ତୋଷେ ଭଣି
ମାଣିକ୍ୟ ମହୀକି ଏଥି ଆସିଲା ରେ । ୯ ।