(ଶ୍ରୀଚନ୍ଦନ— ରାଗ ଲଳିତା, ତାଳ ଏକତାଳି)
ଏ ରଜନୀ ବ୍ରଜବନ୍ଧୁଙ୍କୁ
ଗୋପୀନାଥଙ୍କୁ ରଖିଲା କେଉଁ ସଜନୀ । ଘୋଷା ।
ମୁଁ ଦୁଃଖୀ ହୋଇଲି ଅଭାଗିନୀ
କୃଷ୍ଣ ନଇଲେ ମୋ ପୁରେ ପୁଣି
ନାନା ଜାତି ପୁଷ୍ପେ ଶେଯ ଶେଯାଇଲି
କା ପୁରେ ରହିଲେ ବେଣୁପାଣି । ୧ ।
ଅମଳାନ ବସ୍ତ୍ର କୁଞ୍ଚି କରି
ନାନା ପୁଷ୍ପମାଳ ଗୁନ୍ଥି କରି
ଏ ସର୍ବ ପଦାର୍ଥ ହୋଇଲା ବିଅର୍ଥ
ବାସି ହେଲା ନ ଆସିଲେ ହରି । ୨ ।
ତାମ୍ବୂଳ ପୁଣି ଅଳାଇଚରେ
ସଜାଡ଼ି ରଖିଲି ଏ ପାଞ୍ଚରେ
ଚୂଆ ଚନ୍ଦନ କର୍ପୂର ଗୋଳି କରି
ବୋଳିବାକୁ ଶ୍ୟାମ ଶ୍ରୀଅଙ୍ଗରେ । ୩ ।
ମାର ଶତ୍ରୁ ମୋର ବେଢ଼ିଅଛି
ମୋ ଜୀବ ଭରସା ନାହିଁ କିଛି
ପଞ୍ଚବାଣେ ପଞ୍ଚପ୍ରାଣ ଘେନିଯିବ
ଏମନ୍ତ ମୋ ଚିତ୍ତେ ଆସୁଅଛି । ୪ ।
କେଉଁ ଛଇଳୀ ଏ ଗୋପପୁରୀ
ଲୁଚାଇ ରଖିଛି ନରହରି
ବୋଲେ ଶ୍ରୀଚନ୍ଦନ ଏ ରୂପେ ଦର୍ଶନ
କିଶୋରୀ ଅଛନ୍ତି ମାନ କରି । ୫ ।