Manini Ratana Dhani

ମାନିନୀ ରତନ ଧନୀ
(Srichandana— Raga Gouda, Tala Jati)
(ଶ୍ରୀଚନ୍ଦନ— ରାଗ ଗୌଡ଼ା, ତାଳ ଯତି)

ମାନିନୀ ରତନ ଧନୀ ମାନ ତେଜ ଏଣିକି
ଆନନ୍ଦଦାୟୀ ଆନନ୍ଦେ ଭଜ ବେଣୁପାଣିକି । ଘୋଷା ।

କରୁଛି ଦଇନୀ ରାଧେ ଧରୁଛି ତୋ ପାଣିକି
ସେ ଶ୍ୟାମନାଗର ଦୋଷ ଫିଙ୍ଗିଦିଅ ପାଣିକି । ୧ ।

ଯଦିବା ଦିନ ଛାଡ଼ିବ ବୋଲି ବୁଝି ମଣିକି
ଚାହୁଁ ପରା ହରିତାଳିକାର ନିଶାମଣିକି । ୨ ।

ଯାର ଲାଗି ମୂରୁଛିଲ କୁଳଶୀଳ ଆଣିକି
ଜାଣୁ ଜାଣୁ ମଣି ତାକୁ ପର ପରି ମଣିକି । ୩ ।

ପୀରତିବତ୍ସଳା ରଖ କୀରତି ନିଶାଣିକି
ଦୁଃଖ ତେଜ ସୁଖ କର ଦୁଃଖୀ ଚିନ୍ତାମଣିକି । ୪ ।

ପଦେ ଦୋଷ କଲେ ପଦ୍ମ ଭୃଙ୍ଗ କି ନ ଗଣିକି
ଉନ୍ମତ୍ତେ ଉନ୍ମତ୍ତେ ଫୁଲେ ବସିଛି ସେ ଜାଣିକି । ୫ ।

ସେ ସ୍ନେହ ନ ମାନି ଏବେ ଗଲାଣି ସେ କେଣିକି
କାହାର ଏ ଊଣା ନ ଘେନିଲ କୁହା ବାଣୀକି । ୬ ।

ବୋଲେ ଶ୍ରୀଚନ୍ଦନ ବୃନ୍ଦା ଭାଷେ ଠାକୁରାଣୀକି
ଦୋଷ ତେଜି ସୁଖୀ କର ବଙ୍କିମ ଚାହାଣୀକି । ୭ ।