Ago Radhe Se Mohane

ଆଗୋ ରାଧେ ସେ ମୋହନେ
(Srichandana)
(ଶ୍ରୀଚନ୍ଦନ)

ଆଗୋ ରାଧେ ସେ ମୋହନେ ମାନ କରୁ କାହିଁକି
ମିଛେ ବୋଲୁ ମୁଁ ତାଙ୍କର ସତକୁ ବଞ୍ଚାଇ କି । ଘୋଷା ।

ଦିନ ମଧ୍ୟେ ଦିନଈଶ ପୂଜୁ ଯାହା ପାଇଁକି
ଗଉରୀପ୍ରିୟରେ ପରା କରି ଜଳସାହିକି । ୧ ।

ନୀଳ ଗଉର ସୁମନ ଗୁନ୍ଥୁ ଯାହା ପାଇଁକି
ତାର ସ୍ନେହେ ରହିଥାଉ ମରକତ ବାହିକି । ୨ ।

ଜଣାଅଛି ଯେବେ ଭଜିଥିଲୁ ଅବିବାହିକି
ନାମ ଶୁଣି କଣ୍ଠହାର ଦେଇଛୁ ବଧାଇ କି । ୩ ।

ଯାହାର ମୁରଲୀ ଗୀତେ ଲଭୁ ସୁଖ ପାଇକି
ମୋର କର ଧରି ପଠିଆଉ ତାର ତହିଁକି । ୪ ।

ନିଜ ଜନେ ପର କଲେ ଏଥି ଯଶ ପାଇକି
ଆପଣାର ବ୍ୟାଧି ହେଲେ ପରରେ ବଥାଇକି । ୫ ।

କାମଦ ବଲ୍ଲରୀ ହୃଦେ ବାମ ଗୁଣ ଥାଇକି
ସୁଧାକର ଚକୋରକୁ ଗରଳ ଚଖାଇକି । ୬ ।

କମଳ ଚୁମ୍ବିବା ଅଳି କୂଟ ଯେ ନ ଯାଇକି
ପୁଣି ତା ପାଶେ ଆସନ୍ତେ ସେ କରେ କି ନାହିଁକି । ୭ ।

ବୋଲେ ଶ୍ରୀଚନ୍ଦନ ଆହେ ରାଧେ ହେଲ ବାଇକି
ଏ ରୀତିକି ଛାଡ଼ି ଭଜ ନବୀନ କହ୍ନାଇକି । ୮ ।